oplus_2097152

ମୁଖ୍ୟ ଖବର

ଅନୁଗୋଳରେ ୨୩ରୁ ନବକୃଷ୍ଣ ଚୌଧୁରୀଙ୍କ ୧୨୫ତମ ଜୟନ୍ତୀ, ତିନିଦିନ ଧରି ବ୍ୟାପକ କାର୍ଯ୍ୟକ୍ରମ

By Biswaranjan Pattnaik

November 17, 2026

ଅନୁଗୋଳ : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ପ୍ରଜାମଣ୍ଡଳ ଆନ୍ଦୋଳନର ଅନ୍ୟତମ ମୁଖ୍ୟ ବିନ୍ଧାଣୀ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ସର୍ବୋଦୟ ନେତା ନବକୃଷ୍ଣ ଚୌଧୁରୀଙ୍କ ୧୨୫ତମ ଜୟନ୍ତୀ ସମାରୋହ ଆସନ୍ତା ନଭେମ୍ବର ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ଅନୁଗୋଳ ଠାରେ ମହାସମାରୋହରେ ପାଳିତ ହେବ। ଏନେଇ ବାଜି ରାଉତ ଛାତ୍ରାବାସଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ତିନିଦିନିଆ କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରାଯାଇଛି।

ନବକୃଷ୍ଣ ଚୌଧୁରୀଙ୍କ ଜୀବନ ଓ ଆଦର୍ଶ ଓଡ଼ିଶାର ସାମାଜିକ ଓ ରାଜନୈତିକ ଇତିହାସରେ ଏକ ସ୍ୱତନ୍ତ୍ର ସ୍ଥାନ ରଖିଛି। ସ୍ୱାଧୀନତା ସଂଗ୍ରାମ ସହିତ ପ୍ରଜାମଣ୍ଡଳ ଆନ୍ଦୋଳନ, ସର୍ବୋଦୟ ଚିନ୍ତାଧାରା ଓ କୃଷିର ବିକାଶ କ୍ଷେତ୍ରରେ ତାଙ୍କର ଅବଦାନକୁ ଏହି ଜୟନ୍ତୀ ସମାରୋହରେ ସ୍ମରଣ କରାଯିବ।

କାର୍ଯ୍ୟକ୍ରମ ଅନୁଯାୟୀ, ନଭେମ୍ବର ୨୩ ତାରିଖ ସକାଳେ ଚମ୍ପତିମୁଣ୍ଡାରୁ ବାଜି ରାଉତ ଛାତ୍ରାବାସ ପର୍ଯ୍ୟନ୍ତ ‘ପ୍ରଣାମ ନବକୃଷ୍ଣ’ ବାହନ ଯାତ୍ରା ଅନୁଷ୍ଠିତ ହେବ। ମଧ୍ୟାହ୍ନରେ ‘ଆସ ଭେଟିବା ନବକୃଷ୍ଣଙ୍କୁ’ ଶୀର୍ଷକ ଫଟୋଚିତ୍ର ପ୍ରଦର୍ଶନୀ ଉଦ୍‌ଘାଟିତ ହେବ। ଅପରାହ୍ନ ୩ଟାରେ ନବକୃଷ୍ଣ ଚୌଧୁରୀ ସ୍ମାରକୀ ବକ୍ତୃତା ଅନୁଷ୍ଠିତ ହେବ। ଏଥିରେ ନୂଆଦିଲ୍ଲୀସ୍ଥିତ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ବିଶିଷ୍ଟ ସ୍ତମ୍ଭକାର କୁମାର ପ୍ରଶାନ୍ତ ବକ୍ତୃତା ପ୍ରଦାନ କରିବେ। ଜିଲ୍ଲାପାଳ ଅବଦାଲ ଏମ୍‌. ଅଖତାର ମୁଖ୍ୟ ଅତିଥି ଭାବେ ଯୋଗଦେବେ। ସନ୍ଧ୍ୟାରେ ନବକୃଷ୍ଣ ଚୌଧୁରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ପରିସରରେ ତାଙ୍କ ଜୀବନୀ ଆଧାରିତ ନାଟକ ପରିବେଷଣ କରାଯିବ।

ନଭେମ୍ବର ୨୪ ତାରିଖ ସକାଳ ୮ଟାରେ ଅନୁଗୋଳ ଷ୍ଟାଡିୟମଠାରେ ନବକୃଷ୍ଣ ସ୍ମାରକୀ ଭଲିବଲ୍‌ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ। ସନ୍ଧ୍ୟା ୬ଟାରେ ବାଜି ରାଉତ ଛାତ୍ରାବାସ ପରିସରରେ ସାଂସ୍କୃତିକ ସନ୍ଧ୍ୟା ଅନୁଷ୍ଠିତ ହେବ।

ସେହିପରି ନଭେମ୍ବର ୨୫ ତାରିଖ ସକାଳ ୧୦ଟାରେ ଛାତ୍ରାବାସ ପରିସରରେ ଜିଲ୍ଲାର ଚାଷୀମାନଙ୍କ ଦ୍ୱାରା ଜୈବିକ କୃଷି ପ୍ରଦର୍ଶନୀ ଆୟୋଜିତ ହେବ। ଅପରାହ୍ନ ୩ଟାରେ ଉଦ୍‌ଯାପନୀ ସମାରୋହ ହେବ। ଏଥିରେ ବିଶିଷ୍ଟ ଗାନ୍ଧୀବାଦୀ ଲେଖକ ଡ. ସଂଗ୍ରାମ ଜେନା, ଆମେରିକାରେ ଅବସ୍ଥାପିତ ସ୍ଥପତି ତଥା ନବକୃଷ୍ଣଙ୍କ ଆଦର୍ଶରେ ଅନୁପ୍ରାଣିତ ସନ୍ଦୀପ ଦାସବର୍ମା ଏବଂ ହେତୁବାଦୀ ଲେଖକ ପ୍ରଫେସର ଧନେଶ୍ୱର ସାହୁ ଯୋଗଦେବେ।

ଏହାବ୍ୟତୀତ ନଭେମ୍ବର ୨୨ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱରଠାରେ ‘ଜାତୀୟ ସଂହତିରେ ନବକୃଷ୍ଣ’ ଶୀର୍ଷକ ଏକ ଆଲୋଚନାଚକ୍ର ଆୟୋଜନ କରାଯିବ। ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ନବକୃଷ୍ଣଙ୍କ ଜୟନ୍ତୀ ପାଳନ କରାଯିବ।

ସାମ୍ବାଦିକ ସମ୍ମିଳନୀରେ ନବକୃଷ୍ଣ ଚୌଧୁରୀ ୧୨୫ତମ ଜୟନ୍ତୀ ସମିତିର ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ ସର, ବାଜି ରାଉତ ଛାତ୍ରାବାସର ସଭାପତି ଅନ୍ତର୍ଯ୍ୟାମୀ ବରାଳ, ସମ୍ପାଦକ ଇଂ. ଧନେଶ୍ୱର ସାହୁ, ଆଇନଜୀବୀ ପରମାନନ୍ଦ ମିଶ୍ର, ବସନ୍ତ ଦାସ, କୃଷ୍ଣା ମହାନ୍ତି, ସୂର୍ଯ୍ୟନାରାୟଣ ନାଥ ଓ ଆଦ୍ୟଶ୍ଳୋକ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।