ଅନୁଗୁଳ: ଅନୁଗୁଳ ନଇନି କୋଲ ମାଇନରୁ କୋଇଲା ପରିବହନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଏବେ ଜଟିଳ ରୂପ ଧାରଣ କରିଛି। କୋଶଳା ଗ୍ରାମବାସୀଙ୍କ ପକ୍ଷରୁ ଜାରି ରହିଥିବା ବିରୋଧ ପ୍ରଦର୍ଶନ ଆଜି ୧୭ ଦିନରେ ପହଞ୍ଚିଥିବା ବେଳେ ପ୍ରଶାସନ ସହ ହୋଇଥିବା ସମନ୍ଵୟ ବୈଠକ କୌଣସି ନିଷ୍କର୍ଷ ବାହାରି ପାରିନାହିଁ।
ଗ୍ରାମବାସୀଙ୍କ ସ୍ପଷ୍ଟ ଜିଦ୍ ଯେ ପର୍ଯ୍ୟନ୍ତ ବାଇପାସ୍ ରାସ୍ତା ନିର୍ମାଣ ନହୋଇଛି, ସେପର୍ଯ୍ୟନ୍ତ ଗାଁ ଭିତର ଦେଇ କୌଣସି କୋଇଲା ଟ୍ରକ ଯାତାୟାତ କରିବାକୁ ଦିଆଯିବ ନାହିଁ। ଅନ୍ୟପଟେ ଜିଲ୍ଲାପାଳ କହିଛନ୍ତି ଯେ ଖଣି ପରିସରରେ ଜମା ହୋଇ ରହିଥିବା କୋଇଲାରେ ଖରା ଦିନେ ନିଆଁ ଲାଗିବାର ଯଥେଷ୍ଟ ଆଶଙ୍କା ରହିଛି, ତେଣୁ ସୁରକ୍ଷା ଦୃଷ୍ଟିରୁ ଏହାର ପରିବହନ ଜରୁରୀ। ଅନୁଗୁଳ ଛେଣ୍ଡିପଦା ଓ ଜରପଡ଼ା ରାସ୍ତାରେ ଥିବା ଗାଁ ଗୁଡ଼ିକ ପାଇଁ ବାଇପାସ୍ ନିର୍ମାଣ ନିଷ୍ପତ୍ତି ହୋଇସାରିଛି ଏବଂ ଚଳିତ ବର୍ଷ କାମ ଆରମ୍ଭ ହେବାର ଆଶା ଅଛି।
ଏହି ସମୟ ମଧ୍ୟରେ ପ୍ରଦୂଷଣ ନିୟମ ପାଳନ କରି ସିଲଡ୍ କଣ୍ଟେନରରେ କୋଇଲା ନେବା ପାଇଁ ପ୍ରଶାସନ ସହଯୋଗ ଲୋଡ଼ିଥିଲେ ହେଁ ଗ୍ରାମବାସୀ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଗ୍ରାମବାସୀ ଓ ପ୍ରଶାସନ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଜାରି ରହିଥିବା ବେଳେ କୋଇଲା ପରିବହନ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି।