ମୁଖ୍ୟ ଖବର

ନାଲକୋ ନଗରରେ ବିଶ୍ବକର୍ମା ପୂଜା ପ୍ରସ୍ତୁତି ବୈଠକ: ଏଥରକ ୧୯ଟି ମଣ୍ଡପରେ ପୂଜା ପାଇବେ ଦେବଶିଳ୍ପୀ

By Angul TV Bureau

August 23, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋନଗର ପ୍ରସିଦ୍ଧ ବିଶ୍ଵକର୍ମା ପୂଜା ଆସନ୍ତା ୧୭ ତାରିଖରୁ ସପ୍ତାହ ବ୍ୟାପୀ ମହାସମାରୋହରେ ଅନୁଷ୍ଠିତ ହେବ। ଏନେଇ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଛି। ଏସ.ଆଣ୍ଡ.ପି କମ୍ପ୍ଲେକ୍ସର ଇଡି ଶ୍ରୀନିବାସ ସୁବ୍ରମଣ୍ୟମ ନୋରେଲାଙ୍କ ଅଧ୍ୟକ୍ଷତାରେ ନାଲକୋ ପ୍ରାଶାସନିକ କାର୍ଯ୍ୟାଳୟଠାରେ ଗୁରୁବାର ଆୟୋଜିତ ବୈଠକରେ ନାଲକୋ ପ୍ରଶାସନ, ପୂଜା କମିଟି କର୍ମକର୍ତ୍ତା, ଶ୍ରମିକ ସଂଗଠନ, ଆସୋସିଏସନ, ସ୍ଥାନୀୟ ପୁଲିସ ଉପସ୍ଥିତ ଥିଲେ।

ମାନବ ସମ୍ବଳ ମହାପ୍ରବନ୍ଧକ ସୁନିଲ ମହାପାତ୍ର, ନାଲକୋ ସ୍କେଲ୍‌ଟର୍ ପ୍ଲାଣ୍ଟର ସିଜିଏମ ଇନଚାର୍ଜ ଅକ୍ଷୟ କୁମାର ବେହେରା, ନାଲକୋ ଥାନା ଅଧିକାରୀ ଶ୍ୟାମଲାଲ ଓରାମ, ସି.ଆଇ.ଏସ୍.ଏଫ ଡେପୁଟି କମାଣ୍ଡାଣ୍ଟ ୟୁନିଟୋ ସୁମୀ, ନାଲକୋ ସ୍କେଲ୍‌ର ଓ ସିପିପି ପ୍ଲାଣ୍ଟର ସମସ୍ତ ପୂଜା କମିଟିର ସଭାପତି ଓ ସମ୍ପାଦକ, ପ୍ରତ୍ୟେକ ଶ୍ରମିକ ସଂଗଠନ ପକ୍ଷରୁ ଦୁଇଜଣ ସଦସ୍ୟ, ୱେଲଫେୟାର ଆସୋସିଏସନ, ଏସ୍‌ସି, ଏସ୍‌ଟି ଆସୋସିଏସନର କର୍ମକର୍ତ୍ତା ଉପସ୍ଥିତ ଥିଲେ।

ଚଳିତ ବର୍ଷ ନୂତନ ଭାବେ କୋଲମାଇନ୍ସ ବିଭାଗର ପୂଜାପେଣ୍ଡାଲ ଯୋଡ଼ିହୋଇ ସମୁଦାୟ ୧୯ଟି ପୂଜା ମଣ୍ଡପରେ ପୂଜାହେବ। ନାଲକୋ ପ୍ରଶାସନ ଏସ.ଆଣ୍ଡ.ପି ପକ୍ଷରୁ (ସ୍କେଲ୍‌ର ଓ ସିପିପି) ପ୍ଲାଣ୍ଟର ୧୮ଟି ଥିବା ବେଳେ ଗୋଟିଏ କଣ୍ଟ୍ରାକ୍ଟର ଆସୋସିଏସନ ରହିଛି।

ଗୋପବନ୍ଧୁ ପାର୍କ ସମ୍ମୁଖରେ ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳା ୧୬ତାରିଖରୁ ଆରମ୍ଭ ହୋଇ ୨୩ ତାରିଖ ପର୍ଯ୍ୟନ୍ତ ୮ଦିନ ଧରି ଚାଲିବ। ଏହାସହ ୮ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଚଳିତ ବର୍ଷ ପୂଜା ମହୋତ୍ସବକୁ ଏଲ୍‌ଇଡି ସ୍କ୍ରିନ୍‌ରେ ସିଧା ପ୍ରସାରଣ କରାଯିବ। ସୁରକ୍ଷା ପାଇଁ ୧୫୦ଟି ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯିବାକୁ ନିଷ୍ପତ୍ତି ହୋଇଛି।

ଅନ୍ୟମାନଙ୍କ ମଧ୍ୟରେ ଇଷ୍ଟେଟ ବିଭାଗ ଅଧିକାରୀ ପ୍ରଦୀପ୍ତ କୁମାର ମଲ୍ଲିକ, ମହାପ୍ରବନ୍ଧକ ରାଜାରାମ ମିଶ୍ର ଓ ୱେଲଫେୟାର କମିଟି ସଦସ୍ୟ କେକେ ବେହେରା ପରିଚାଳନା କରିଥିଲେ।