ଅନୁଗୁଳ: ନାଲକୋ ନିଜର ଉତ୍ପାଦନ କ୍ଷମତା ବୃଦ୍ଧି ପାଇଁ ସ୍ମେଲଟର କାରଖାନା ସମ୍ପ୍ରସାରଣ କରିବା ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ କରିଛି। ପୂର୍ବପାଳିରେ ଲୋକେ ନିଜର ଜମି ଦେଇ କମ୍ପାନୀ ସ୍ଥାପନ କରିଥିଲେ ମଧ୍ୟ ଚାକିରୀ ଖଣ୍ଡେ ପାଇ ନଥିଲେ। ବର୍ତ୍ତମାନ ପୁଣି ଥରେ କମ୍ପାନୀ ଲୋକଙ୍କ ସମ୍ପୂର୍ଣ୍ଣ ଜମି ଅଧିଗ୍ରହଣ କରିବାକୁ ଯାଉଛି। ଏହି ଅଧିଗ୍ରହଣରେ ଲୋକେ ସର୍ବସ୍ୱ ହରାଉଥିଲେ ମଧ୍ୟ ଚାକିରୀ ନେଇ ନାଲକୋ ଅନ୍ଧାରରେ ରଖୁଥିବା ଲୋକେ ଅଭିଯୋଗ ଆଣିଛନ୍ତି।
କାଙ୍ଗୁଲା, ଗୋପୀନାଥପୁର ଓ କୁଲାଡ଼ ମୌଜାର ଜମି ହରାଉଥିବା ଲୋକଙ୍କୁ ପ୍ରଥମେ ସ୍ଥାୟୀ ଚାକିରୀର ସ୍ୱପ୍ନ ଦେଖାଇ ନାଲକୋ ଓ ଭୁଅର୍ଜନ କାର୍ଯ୍ୟାଳୟ ସର୍ଭେ ସମ୍ପୂର୍ଣ୍ଣ କରାଇଥିଲେ। ଯେଉଁ ସମୟରେ କି ଲୋକେ ନିଜର ଜମି ଦେବାକୁ ଆଦୌ ସହମତି ପ୍ରକାଶ କରିନଥିଲେ। ପ୍ରଶାସନ ଓ ନାଲକୋ ଅଧିକାରୀଙ୍କ ଉପସ୍ଥିତିରେ ପ୍ରତି ପରିବାରକୁ ସ୍ଥାୟୀ ନିଯୁକ୍ତି ଦେବା ନେଇ ଲିଖିତ ଆଲୋଚନା ହୋଇଥିବା ବେଳେ ବର୍ତ୍ତମାନ ପ୍ରଶାସନ ମଧ୍ୟ ନିଜର ମତ ବଦଳାଉଥିବା ଦେଖାଯାଇଛି। ସର୍ଭେ ପରବର୍ତ୍ତୀ ସମୟରେ କୌଣସି ତଥ୍ୟ ଆମ୍ଭ ଗ୍ରାମବାସୀ ମାନଙ୍କୁ ଦିଆଗଲା ନାହିଁ। ଯାହା କି ଉକ୍ତ ବୈଠକରେ କୁହା ଯାଇଥିଲା ଯେ, ସର୍ଭେ ପରବର୍ତ୍ତୀ ସମୟରେ ସ୍ଥାୟୀ ନିଯୁକ୍ତି ନେଇ ଲିଖିତ ପ୍ରତିଶୁତି ଦିଆଯିବ। ଏହା ମଧ୍ୟରେ ନାଲକୋ ଭୁ ଅର୍ଜନ କାର୍ଯ୍ୟାଳୟ ପକ୍ଷରୁ ଶିକ୍ଷାଗତ ଯୋଗ୍ୟତା ସର୍ଭେ ସମ୍ପୂର୍ଣ୍ଣ ହୋଇଛି। ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଦଶମ ପାସ ଥିବା ସମସ୍ତ ୧୮ ବର୍ଷରୁ ଉର୍ଦ୍ଧ ପ୍ରାର୍ଥୀ ନିଜର ଦସ୍ତାବିଜ ପ୍ରମାଣପତ୍ର ଦେବାକୁ ଭୁ ଅର୍ଜନ ଅଧିକାରୀ କହିଥିଲେ।
ହେଲେ ବର୍ତ୍ତମାନ ବର୍ତ୍ତମାନ ଭୁ ଅର୍ଜନ ଅଧିକାରୀ ଜୟଜିତ ଧଳ କହୁଛନ୍ତି ଯେ କେବଳ ଟେକନିକାଲ ପିଲାଙ୍କୁ ନାଲକୋ ଚାକିରୀ ଦେବ। ନନ ଟେକନିକାଲ ପ୍ରାର୍ଥୀ ମାନଙ୍କୁ କୌଣସି ଚାକିରୀ ଦିଆଯିବ ନାହିଁ ବୋଲି ସଫା ସଫା ମନା କରିଦେଇଛନ୍ତି। ଏପରିକି ନାଲକୋ ଭୁ ଅର୍ଜନ ଅଧିକାରୀ ନାଲକୋର ହାତ ବାରିସୀ ହୋଇ କାର୍ଯ୍ୟ କରୁଥିବା ବେଳେ ଜନ ସାଧାରଣଙ୍କ କଥା ଶୁଣୁ ନଥିବା ଅଭିଯୋଗ ହୋଇଛି। ପ୍ରତି ଦିନ ସେ ନିଜର ମତ ବଦଳାଉଥିବା ବେଳେ ଜମି ହରାଙ୍କ ମଧ୍ୟରେ ନାଲକୋଓ ଜିଲା ପ୍ରଶାସନ ମିଶି ଫାଟ କରିବାକୁ ଏକ ହୀନ ଚକ୍ରାନ୍ତ ବୋଲି ତିନି ମୌଜାର ଲୋକେ ଅଭିଯୋଗ ଆଣିଛନ୍ତି।