ମୁଖ୍ୟ ଖବର

ନାଲକୋ ଠିକା ସଂସ୍ଥାରେ ଏନବିସିସି କମ୍ପାନୀକୁ କାର୍ଯ୍ୟାଦେଶ ପ୍ରଦାନକୁ ନାଲକୋ ଠିକାଦାର ମହାସଂଘର ଜୋରଦାର ବିରୋଧ

By Angul TV Bureau

November 24, 2025

ଅନୁଗୁଳ:ନାଲକୋ ଠିକା ସଂସ୍ଥାରେ ଏନବିସିସି କମ୍ପାନୀକୁ କାର୍ଯ୍ୟାଦେଶ ଦେବାକୁ ଜୋରଦାର ବିରୋଧ କରିଛି ନାଲକୋ ଠିକାଦାର ମହାସଂଘ। ଆଜି ମହାସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଡାକି କମ୍ପାନୀର ନିର୍ଦ୍ଦେଶକୁ ବିରୋଧ କରାଯାଇଛି।ପ୍ରକାଶ ଥାଉକି ୧୯୮୭ ମସିହା ଠାରୁ ନାଲକୋ ସ୍ମେଲ୍ଟର୍ ଓ ପାୱାର କମ୍ପ୍ଲେକ୍ସର ଉତ୍ପାଦନ ଆରମ୍ଭ ହୋଇଥିଲା। ସେହି ସମୟରୁ ନାଲକୋ କର୍ତ୍ତୃପକ୍ଷ ପ୍ଲାଣ୍ଟ ଓ ଟାଉନସିପ ରକ୍ଷଣାବେକ୍ଷଣ ପାଇଁ ଠିକାଦାରଙ୍କୁ ନିଯୁକ୍ତି କରିଥିଲେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପୁନର୍ବାସ ଏବଂ ପାରିପାର୍ଶ୍ବିକ ଉନ୍ନୟନ ପରାମର୍ଶଦାତା ସମିତି ବୈଠକରେ ନାଲକୋ ଦ୍ଵାରା ବିସ୍ଥାପିତ ଜମିହରା ପ୍ରଜାଙ୍କୁ ଚାକିରି ପରିବର୍ତ୍ତେ ଠିକା କାର୍ଯ୍ୟରେ ନିଯୁକ୍ତି କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ଦୀର୍ଘ ୩୮ ବର୍ଷ ହେଲା ନାଲକୋର ପଞ୍ଜୀକୃତ ଠିକାଦାରମାନେ ବିଭିନ୍ନ ବିଭାଗରେ ନିଯୁକ୍ତି ହୋଇଥିଲେ। କିନ୍ତୁ ବର୍ତ୍ତମାନ ନାଲକୋ କର୍ତ୍ତୃପକ୍ଷ ଏନବିସିସି ଭଳି ରାଷ୍ଟ୍ରାୟତ୍ତ ଉଦ୍ୟୋଗ କମ୍ପାନୀକୁ ସିଭିଲ ମେଣ୍ଟନାନ୍ସ କାର୍ଯ୍ୟଦେଶ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହା ଦ୍ୱାରା ସ୍ଥାନୀୟ ଅଧିବାସୀଙ୍କ ଜୀବନ ଜୀବିକା ବିପନ୍ନ ହୋଇପଡ଼ିବ।

ଏହାକୁ ବିରୋଧ କରି ନାଲକୋ ଠିକାଦାର ମହାସଂଘ ନାଲକୋ ନଗର ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ତୁରନ୍ତ ନିଷ୍ପତ୍ତି ପ୍ରତ୍ୟାହାର ଦାବି କରିଛି। ସମ୍ମିଳନୀରେ ଠିକାଦାର ମହାସଂଘର ଅଧ୍ୟକ୍ଷ ବିପ୍ଳବ ଜେନା, ଠିକାଦାର ମହାସଂଘର ବୁଲେଶ୍ ଜେନା, ପ୍ରଫୁଲ୍ଲ ବିଶୋଇ, ମାନସ ସିଂ, କାଳନ୍ଦୀ ଚରଣ ଜେନା, ରାମଚନ୍ଦ୍ର ମାଝୀ, ରଣଜିତ୍ ଶେଠ୍, ସୁବୋଧ ଦାସ, ପ୍ରଭାତ ଗଡ଼ନାୟକ, ସଞ୍ଜୀବ ଗଡ଼ନାୟକ , ରଞ୍ଜନ ଦାସ, ନିକୁଞ୍ଜ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।