ମୁଖ୍ୟ ଖବର

୫ ଦଫା ଦାବି ନେଇ ନାଲକୋରେ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଠିକା ଶ୍ରମିକଙ୍କ ଆନ୍ଦୋଳନ

By Biswaranjan Pattnaik

September 10, 2024

ଅନୁଗୁଳ: ୫ ଦଫା ଦାବି ନେଇ ନାଲକୋ ସିପିପି, ସ୍ମେଲଟର, ଖଣି ଓ ବିଶୋଧନ ପ୍ରକଳ୍ପରେ କାର୍ଯ୍ୟରତ ଠିକା ଶ୍ରମିକ ସଂଗଠନର ପକ୍ଷରୁ ସମସ୍ତ ୟୁନିଟରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିଛି। ସେମାନଙ୍କ ଦାବି ମଧ୍ୟରେ ଅବସରକାଳୀନ ଭତ୍ତା, ଶ୍ରମିକମାନଙ୍କ ପଦୋନ୍ନତି, ଶ୍ରମିକମାନଙ୍କ ଅବସର କିମ୍ବା ଶାରୀରିକ ଅକ୍ଷମ ଯୋଗୁଁ ଉତ୍ତରାଧିକାରୀଙ୍କୁ ନିଯୁକ୍ତି ବ୍ୟବସ୍ଥା, କ୍ୟାଣ୍ଟିନ୍ ଓ ଅତିରିକ୍ତ ଭତ୍ତା ବୃଦ୍ଧି ପାଇଁ ଆଦି ଦାବି ରହିଛି।

ତେବେ ଗତ ୪ ବର୍ଷ ହେବ ଶ୍ରମିକମାନେ ବାରମ୍ବାର ବିଭିନ୍ନ ଦାବି ନେଇ ଆନ୍ଦୋଳନ କରି ଆସୁଥିଲେ ମଧ୍ୟ ନାଲକୋ କର୍ତ୍ତୃପକ୍ଷ ଉଦ୍ଦେଶ୍ୟମୂଳକ ଭାବେ କୌଣସି ଦାବି ପୂରଣ କରୁନାହାନ୍ତି। କେବଳ ଭୁବନେଶ୍ଵର କର୍ପୋରେଟ୍ କାର୍ଯ୍ୟାଳୟକୁ ଡକାଇ ଆଲୋଚନା କରି ଆଶ୍ୱାସନା ଦେଇ ଫେରାଇ ଦେଉଛନ୍ତି। ନିକଟରେ କର୍ପୋରେଟ୍ କାର୍ଯ୍ୟାଳୟରୁ ଠିକା ଶ୍ରମିକ ସଂଗଠନର ନେତୃବୃନ୍ଦଙ୍କୁ ଦେଶର ବିଭିନ୍ନ ଉଦ୍ୟୋଗ ବୁଲାଇ ନେବା ପାଇଁ ଚିଠି ଆସିଥିଲା। ଉଦ୍ଦେଶ୍ୟ ଥିଲା ବିଭିନ୍ନ ନବରତ୍ନ ଓ ମହାରତ୍ନ ଉଦ୍ୟୋଗରେ ଠିକା ଶ୍ରମିକମାନଙ୍କୁ କିଭଳି ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି, ତା’ ଉପରେ ଅନୁଧ୍ୟାନ କରିବା ପରବର୍ତ୍ତୀ ସମୟରେ ସେହି ସବୁ ସୁବିଧା ନାଲକୋ ଶ୍ରମିକମାନଙ୍କୁ ଯୋଗାଇ ଦେବା। କିନ୍ତୁ ନାଲକୋର ପ୍ରଶାସନିକ ନିର୍ଦ୍ଦେଶକ ଏହାକୁ ବାତିଲ କରିଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି।

ଆଗାମୀ ଦିନରେ ଯେକୌଣସି ଆଲୋଚନା ପାଇଁ ନାଲକୋ କର୍ତ୍ତୃପକ୍ଷ ସଂପୃକ୍ତ ସ୍ଥାନକୁ ଯାଇ ସମାଧାନ କରିବାକୁ ଦାବି ହେଉଛି । ଯଦି ନାଲକୋ କର୍ତ୍ତୃପକ୍ଷ ଏଥି ପ୍ରତି ଗୁରୁତ୍ବ ପ୍ରଦାନ ନ‌ କରନ୍ତି ତା’ ହେଲେ ଶ୍ରମିକମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।