ମୁଖ୍ୟ ଖବର

ନାଲକୋରେ କାର୍ଯ୍ୟରତ ଠିକା ଶ୍ରମିକଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ପ୍ଲାଣ୍ଟ ସାମ୍ନାରେ ଧାରଣା ଦେଲେ ପରିବାର

By Angul TV Bureau

December 19, 2023

ଅନୁଗୁଳ: ନାଲକୋ ଶ୍ରମିକଙ୍କ ମୃତ୍ୟୁ ପରେ କ୍ଷତିପୂରଣ ଦାବିରେ ପ୍ଲାଣ୍ଟ ସାମ୍ନାରେ ଶବ ରଖି ଗ୍ରାମବାସୀ ଧାରଣା ଦେଇଛନ୍ତି। ସୂଚନା ମୁତାବକ, ଅନୁଗୁଳ ଥାନା ଅନ୍ତର୍ଗତ ନାଲକୋ ନିକଟସ୍ଥ ଗୋପୀନାଥପୁର ଗ୍ରାମର ରମେଶ ସାହୁଙ୍କର ଆକସ୍ମିକ ମୁତ୍ଯୁ ହୋଇଛି। ରମେଶ ନାଲକୋ ସ୍ମେଲଟର ପ୍ଲାଣ୍ଟ କାର୍ବନ ଏରିଆ ଇଲେକ୍ଟ୍ରିକାଲ ବିଭାଗରେ ଠିକା ଶ୍ରମିକ ଭାବେ କାମ କରନ୍ତି। ସବୁଦିନ ପରି ସେ ନାଲକୋରୁ ଡ୍ୟୁଟି ସାରି ଘରକୁ ଫେରିବା ପରେ ସୋମବାର ରାତିରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ପରିବାର ଲୋକେ ତାଙ୍କୁ ଅନୁଗୁଳ ହସ୍ପିଟାଲ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକ ଓ ଗ୍ରାମବାସୀ ନାଲକୋକୁ ଅନୁକମ୍ପା ମୂଳକ ସାହାଯ୍ୟ ଦାବି କରି ସ୍ମେଲଟର ପ୍ଲାଣ୍ଟ ଗେଟ ସମ୍ମୁଖରେ ଶବ ରଖି ଆନ୍ଦୋଳନ କରିଥିଲେ।

ଅନ୍ୟପଟେ ନାଲକୋର ସେହି କାର୍ବନ ଏରିଆ ପ୍ଲାଣ୍ଟରେ କାର୍ଯ୍ୟରତ ଆଉ ଜଣେ ଠିକା ଶ୍ରମିକ କୁକୁଡ଼ାଙ୍ଗ ଗ୍ରାମର ଅଜୟ ସେଠୀଙ୍କ ସୋମବାର ରାତିରେ ଘରେ ମୃତ୍ୟୁ ହୋଇଛି। ତେବେ ଗୋଟିଏ ରାତିରେ ନାଲକୋର ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି।