ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଚାଲିଥିବା ନାଲକୋ ସ୍ପୋନ୍ସୋରଡ ଏଲ.ଏ.ପି., ଆଇ.ଟି.ଆଇ.(୧୯୮)ଙ୍କ ଧାରଣା ୩୮ ଦିନରେ ପହଞ୍ଚିଛି। ଜାନୁୟାରୀ ୧୫ ଠାରୁ ଆରମ୍ଭ ହୋଇଥିବା ଏହି ଧାରଣାରେ ଆନ୍ଦୋଳନକାରୀ ଅହୋରାତ୍ର ଧାରଣା ବସିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏବେ ଯାଏଁ ଆଲୋଚନା ପାଇଁ ଡକା ଯାଇନାହିଁ। ଏଣୁ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନା ମୁତାବକ, ନାଲକୋରେ ସାଧାରଣ ନିଯୁକ୍ତି ବନ୍ଦ କରି ଅଗ୍ରାଧିକାର ଭିତ୍ତିରେ ପ୍ରଥମେ ନାଲକୋରେ ଜମି ହରାଇ ଥିବା କ୍ଷତିଗ୍ରସ୍ତ ପ୍ରଜାଙ୍କୁ ନିଯୁକ୍ତି ଦେବାକୁ ଦାବି ହେଉଛି। ଅନେକ ବର୍ଷ ହେବ ଆନ୍ଦୋଳନ, ଧାରଣା, ଅର୍ଥନୈତିକ ବିରୋଧ ଜାରିଥିବା ବେଳେ କେବଳ ପ୍ରତିଶ୍ରୁତି ମିଳୁଛି ସିନା କିନ୍ତୁ ଏବେ ଯାଏଁ ନ୍ୟାୟ ମିଳିନାହିଁ। ୨୦୦୯ ମସିହାରୁ ଆଜି ଯାଏଁ କ୍ଷତିଗ୍ରସ୍ତ ପ୍ରଜାଙ୍କୁ ଚାକିରି ମିଳିନାହିଁ।
ଅନ୍ୟପଟେ ସୂଚନା ମିଳିଛି ଯେ ଉଚ୍ଚ ନ୍ୟାୟାଳୟ ଅନୁଗୁଳ ଜିଲ୍ଲାପାଳ, ଭୂ-ଅର୍ଜନ ଅଧିକାରୀ, ମୁଖ୍ୟ ଶାସନ ସଚିବ, ନାଲକୋ ଅଧ୍ୟକ୍ଷ, ନାଲକୋ ପ୍ରଶାସନ, ଖଣି ସଚିବଙ୍କୁ ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ଧାରଣାରେ ସମ୍ପାଦକ ଶଶାଙ୍କ ଶେଖର ସାମଲ, ସଭାପତି ଦିବ୍ୟ ରଂଜନ ଦାସ, ପ୍ରତାପ ପ୍ରଧାନ, ଅଶୋକ କୁମାର ସାମଲ, ବିକାଶ ରମଣ ନାଏକ, ପାଣ୍ଡବ ସାହୁ, ଅମନ ବିଶ୍ୱାଳ, ଦୀପକ କୁମାର ସାହୁ, ରଞ୍ଜିତ ପ୍ରଧାନ, ଯୋଗେଶ ସାମଲ, ପ୍ରଶାନ୍ତ ବେହେରା, ସରୋଜ ପ୍ରଧାନ, ନିରଂଜନ ସାହୁ, କ୍ଷୀରୋଦ ସାହୁ, ବନିତା ପ୍ରଧାନ, ଆରତୀ ନାଏକ, ସୌଭାଗ୍ୟ ପଟ୍ଟନାୟକଙ୍କ ସହ ବହୁ କ୍ଷତିଗ୍ରସ୍ତ ପ୍ରଜା ଉପସ୍ଥିତ ଥିଲେ।