ଅନୁଗୁଳ : ଅନୁଗୁଳସ୍ଥିତ ନାଲକୋ ସ୍ମେଲଟର ପ୍ଲାଣ୍ଟର ସମ୍ପ୍ରସାରଣ ପ୍ରକ୍ରିୟା ପାଇଁ ଆଜି ନାଲକୋ ଟ୍ରେନିଂ ସେଣ୍ଟର ଅଡିଟୋରିୟମଠାରେ ପୁନର୍ବାସ ଓ ଥଇଥାନ (R&R) ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ଉଦୟନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ କୁଲାଡ଼, ବେନ୍ତପୁର ଓ କାଙ୍ଗୁଲା ପଞ୍ଚାୟତର ପ୍ରଭାବିତ ଗ୍ରାମବାସୀ ଯୋଗ ଦେଇଥିଲେ।ଶିବିରରେ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ ନିଜର ମତାମତ ରଖିଥିଲେ। ଅଧିକାଂଶ ଗ୍ରାମବାସୀ ପ୍ରକଳ୍ପ ସପକ୍ଷରେ ମତ ଦେଇଥିଲେ ହେଁ, ଜମିର ଉପଯୁକ୍ତ ବଜାର ମୂଲ୍ୟ ପ୍ରଦାନ ଏବଂ ଜମିହରା ପରିବାରର ୧୮ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତ ସଦସ୍ୟଙ୍କୁ ସ୍ଥାୟୀ ନିଯୁକ୍ତି ଦେବାକୁ ଦୃଢ଼ ଦାବି କରିଛନ୍ତି। ପୂର୍ବରୁ ନାଲକୋ କର୍ତ୍ତୃପକ୍ଷ ପ୍ରଜାଙ୍କୁ ପ୍ରତାରଣା କରିଥିବା ନେଇ ଅନେକ ଗ୍ରାମବାସୀ ଅସନ୍ତୋଷ ବ୍ୟକ୍ତ କରିବା ସହ ସ୍ଥାନୀୟ ଲୋକଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ କରିଥିଲେ।
ଅନ୍ୟପକ୍ଷରେ, ନାଲକୋ କର୍ତ୍ତୃପକ୍ଷ ନିଜର ଆଭିମୁଖ୍ୟ ରଖି କହିଛନ୍ତି ଯେ, କମ୍ପାନୀ ନବରତ୍ନରୁ ମହାରତ୍ନ ମାନ୍ୟତା ଦିଗରେ ଅଗ୍ରସର ହେଉଥିବାରୁ ଏହି ସମ୍ପ୍ରସାରଣ ଜରୁରୀ। ପ୍ରଭାବିତ ଅଞ୍ଚଳର ବିକାଶ ଏବଂ ଜମିହରା ପ୍ରଜାଙ୍କ ପାଇଁ ସରକାରୀ ନିୟମ ଅନୁଯାୟୀ ସର୍ବାଧିକ ସହାୟତା ପ୍ୟାକେଜ୍ ପ୍ରଦାନ କରିବାକୁ କମ୍ପାନୀ ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରକାଶ କରିଛନ୍ତି।