ମୁଖ୍ୟ ଖବର

ଭୟଙ୍କର କୋଇଲା ସଙ୍କଟ ଦେଇ ଗତି କରୁଛି ଦେଶର ବୃହତ୍ତମ ସରକାରୀ ନବରତ୍ନ ଆଲୁମିନିୟମ କମ୍ପାନୀ ‘ନାଲକୋ’

By Angul TV Bureau

April 21, 2022

ଅନୁଗୁଳ: ଭୟଙ୍କର କୋଇଲା ସଙ୍କଟ ଦେଇ ଗତି କରୁଛି ଦେଶର ବୃହତ୍ତମ ସରକାରୀ ନବରତ୍ନ ଆଲୁମିନିୟମ କମ୍ପାନୀ ନାଲକୋ। କୋଇଲା ଯୋଗାଣ ଠିକ ଭାବେ ହୋଇପାରୁନଥିବାରୁ ଏଭଳି ସ୍ଥିତି ଉପୁଜିଛି।

ନାଲକୋ ଓ ଏମସିଏଲ ଚୁକ୍ତି ମୁତାବକ, ୨୦୧୮ ଏପ୍ରିଲରୁ ୨୦୨୩ ମାର୍ଚ୍ଚ ପର୍ଯ୍ୟନ୍ତ ଏମସିଏଲ ବର୍ଷକୁ ୪୭ ଲକ୍ଷ ୧୬ ହଜାର ମେଟ୍ରିକ ଟନ ଲିଙ୍କେଜେ କୋଇଲା ଓ ୯ ଲକ୍ଷ ମେଟ୍ରିକ ଟନ ବ୍ରିଜ ଲିଙ୍କେଜେ କୋଇଲା ଯୋଗାଣ କରିବା କଥା। କିନ୍ତୁ ୨୦୨୧-୨୨ ଆର୍ଥିକ ବର୍ଷରେ ଏମସିଏଲ୍ ମାତ୍ର ୩୯ ଲକ୍ଷ ଲିଙ୍କେଜେ କୋଇଲା ଓ ୩ ଲକ୍ଷ ମେଟ୍ରିକ୍ ଟନ୍ ବ୍ରିଜ ଲିଙ୍କେଜ କୋଇଲା ଯୋଗାଣ କରିଛି, ଯାହା ଚୁକ୍ତି ଠାରୁ ୧୪ ଲକ୍ଷ ମେଟ୍ରିକ୍ ଟନ୍ କମ୍। କମ୍ ଥିବା କୋଇଲାକୁ ଭରଣା କରିବା ପାଇଁ ନାଲକୋକୁ ରାଜ୍ୟ ଗ୍ରୀଡ୍‌ରୁ ଜୁଲାଇ ୨୦୨୧ରୁ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ଦୈନିକ ୨୦୦ ମେଗାୱାଟ୍ ବିଦ୍ୟୁତ କିଣିବାକୁ ପଡ଼ିଥିଲା।

ପ୍ରତି ବର୍ଷ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ସର୍ବାଧିକ ୫ଲକ୍ଷ ଟନରୁ ଅଧିକ କୋଇଲା ଗଚ୍ଛିତ ରଖିବାକୁ ଥିବା ବେଳେ ଯୋଗାଣ ଅଭାବରୁ ନାଲକୋ ମାତ୍ର ୩ଲକ୍ଷ ଟନ କୋଇଲା ଗଚ୍ଛିତ ରଖି ପାରିଥିଲା। କିନ୍ତୁ ପରେ କୋଇଲା ଯୋଗାଣ ନହେବାରୁ ଏଠାରେ ବର୍ତ୍ତମାନ ଦେଢ଼ଲକ୍ଷ ଟନ କୋଇଲା ଗଚ୍ଛିତ ଅଛି। ସେଥିରୁ ୪୦ ହଜାର ଟନ କାର୍ପେଟ୍ କୋଇଲା ରହିଛି, ଯାହା ସମୂର୍ଣ୍ଣ ଅନୁପଯୋଗୀ।

ପ୍ରତିଦିନ ନାଲକୋ ୧୮ ହଜାରରୁ ୧୯ହଜାର ଟନ୍ କୋଇଲା ଆବଶ୍ୟକ କରେ। ଏଥିସହ ବର୍ଷା ଦିନ ପୂର୍ବରୁ ଗଚ୍ଛିତ କୋଇଲା ପରିମାଣ ମଧ୍ୟ ବଢ଼ାଇବା ଦରକାର। ମାତ୍ର ଏମସିଏଲ୍ ଦୈନିକ ମାତ୍ର ୮ ହଜାରରୁ ୧୦ ହଜାର ଟନ୍ କୋଇଲା ନାଲକୋକୁ ଯୋଗାଣ କରୁଛି। ଯାହା ସମୁଦ୍ରକୁ ଶଙ୍ଖେ ଭଳି। ଏହା ଦ୍ୱାରା ନାଲକୋରେ ଦିନକୁ ଦିନ କୋଇଲା ପରିମାଣ କମୁଛି। ଫଳ ସ୍ୱରୂପ ନାଲକୋ ଦୈନିକ ୮ଟି ୟୁନିଟରୁ ପ୍ରାୟ ୯୧୦ ରୁ ୯୧୫ ମେଗାୱାଟ ବିଦ୍ୟୁତ ଉତ୍ପାଦନ କରୁଛି। ଯଦି ଆଗକୁ ବି ଏଭଳି ସ୍ଥିତି ବଜାୟ ରହେ ତେବେ ନାଲକୋରୁ ବିଦ୍ୟୁତ ଉତ୍ପାଦନ ବନ୍ଦ ହୋଇଯିବ, ଏଥିରେ ଆଦୌ ସନ୍ଦେହ ନାହିଁ।