ମୁଖ୍ୟ ଖବର

ନାଲ୍‌କୋ ବିଶ୍ୱକର୍ମା ପୂଜା ନିମନ୍ତେ ପ୍ରସ୍ତୁତି ବୈଠକ, ୧୭ଟି ମଣ୍ଡପରେ ପୂଜା ପାଇବେ ବିଶ୍ବବିନ୍ଧାଣୀ

By Angul TV Bureau

August 20, 2024

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲ୍‌କୋରେ ପ୍ରସିଦ୍ଧ ବିଶ୍ଵକର୍ମା ପୂଜା ନିମନ୍ତେ ସୋମବାର ଏକ ପ୍ରସ୍ତୁତି ବୈଠକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀନିବାସ ସୁବ୍ରମଣ୍ୟମଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଚଳିତ ବର୍ଷ ନାଲ୍‌କୋ ଟାଉନ୍‌ସିପ୍‌ରେ ୧୭ଟି ମଣ୍ଡପରେ ପୂଜା ପାଇବେ ବିଶ୍ଵବିନ୍ଧାଣୀ। ସେପ୍ଟେମ୍ବର ୧୬ ରୁ ପୂଜା ଆରମ୍ଭ ହୋଇ ସେପ୍ଟେମ୍ବର ୨୨ ପର୍ଯ୍ୟନ୍ତ ଚାଲିବ। ୨୩ ତାରିଖ ଅପରାହ୍ନରୁ ଭସାଣି ଶୋଭାଯାତ୍ରା ଆରମ୍ଭ ହୋଇ ସନ୍ଧ୍ୟା ୭ଟା ସୁଦ୍ଧା ଶେଷ କରିବାକୁ ସ୍ଥିର ହୋଇଛି।

ପୂଜା ଅବସରରେ ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳାର ଆୟୋଜନ କରାଯାଇଛି। ଭସାଣିରେ ଡିଜେ କି ଅଶ୍ଳୀଳ ନୃତ୍ୟ ପରିବେଷଣ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୂଜା ସମୟରେ ଖାଦ୍ୟ ଓ ନିରାପତ୍ତା ବିଭାଗ ପକ୍ଷରୁ ନିୟମିତ ଯାଞ୍ଚ କରାଯିବା ସହ ବିଦ୍ୟୁତ ସରଞ୍ଜାମ ଏବଂ ପରିମଳ ଉପରେ ବିଶେଷ ଗୁରୁତ୍ଵ ଦିଆଯିବ। କର୍ମଚାରୀଙ୍କ ଡିୟୁଟି ଯାତାୟାତ ରାସ୍ତାରେ ପ୍ରତିବନ୍ଧକ ସୃଷ୍ଟି ହେଲା ଭଳି କୌଣସି ଦୋକାନ, ବଜାର ବସିବ ନାହିଁ। ପୂଜାରେ ଉଦ୍‌ଘୋଷକ ଭାବେ ପ୍ରାକ୍ତନ କ୍ରୀଡ଼ା ଅଧିକାରୀ ଚିତ୍ତରଞ୍ଜନ ଚୌଧୁରୀ ଯୋଗ ଦେବେ ବୋଲି ଜଣାଯାଇଛି।

ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କମିଟି ଅଧ୍ୟକ୍ଷ କିଶୋର କୁମାର ବେହେରା, କେଦାର ସିଂହ, ମାନବସମ୍ବଳ ବିଭାଗର ମହାପ୍ରବନ୍ଧକ ଶୁଭେନ୍ଦୁ କୁମାର ନାୟକ, ସମୂହ ମହାପ୍ରବନ୍ଧକ ଅମରେନ୍ଦ୍ର ମିଶ୍ର, ନାଲ୍‌କୋ ଥାନାଧିକାରୀ ପ୍ରଦୀପ ମହନ୍ତ ପ୍ରମୁଖଙ୍କ ସମେତ ବିଭିନ୍ନ କମିଟି କର୍ମକର୍ତ୍ତା ଯୋଗ ଦେଇଥିଲେ।