ମୁଖ୍ୟ ଖବର

ନାଲକୋର ଦାଦାଗିରି: କ୍ଷତିପୂରଣ ମାଗିବାରୁ ପ୍ରଜାଙ୍କୁ ମିଳିଲା ଜେଲ୍‌

By Angul TV Bureau

January 25, 2026

ଅନୁଗୁଳ: ଶିଳ୍ପାୟନ ନାଁରେ ନିରୀହ ପ୍ରଜାଙ୍କ ଉପରେ ଶୋଷଣର କରାଳ ରୂପ ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ନାଣ୍ଡିଛୋଡ଼ ଗ୍ରାମରେ। ନିଜର ନ୍ୟାଯ୍ୟ କ୍ଷତିପୂରଣ ଦାବି କରିବା ନାଲକୋ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ନଜରରେ ଯେମିତି ଅପରାଧ ସାଜିଛି। କ୍ଷତିପୂରଣ ନଦେଇ ଜୋର-ଜବରଦସ୍ତି କୋଇଲା ଉତ୍ତୋଳନ କରୁଥିବା ନାଲକୋ ବିରୋଧରେ ସ୍ୱର ଉତ୍ତୋଳନ କରିବାରୁ, ପୋଲିସ୍‌ ସହାୟତାରେ ପ୍ରଜାମାନଙ୍କୁ ଧାରଣା ସ୍ଥଳରୁ ଉଠାଇ ନିଆଯାଇ ମିଛ ମାମଲାରେ କୋର୍ଟ ଚାଲାଣ କରାଯାଇଥିବା ଅଭିଯୋଗ ହୋଇଛି।

ସୂଚନା ମୁତାବକ, ନାଣ୍ଡିଛୋଡ ଗ୍ରାମର କ୍ଷତିଗ୍ରସ୍ତ ପ୍ରଜାମାନେ ଶାନ୍ତିପୂର୍ଣ୍ଣ ଭାବେ ଧାରଣାରେ ବସିଥିବା ବେଳେ ପୋଲିସ୍‌-ପ୍ରଶାସନ ପକ୍ଷରୁ ସେମାନଙ୍କୁ ଦମନ କରାଯାଇଛି। ଗିରଫଦାରୀ ଯୋଗୁଁ ଅନେକ ପରିବାରର ଛୋଟ ପିଲାମାନେ ଏବେ ଅଭିଭାବକ ଶୂନ୍ୟ। ଘରେ ବାପା-ମାଆ ନଥିବାରୁ ପିଲାମାନେ ଭୋକ ଓ ଭୟରେ ଦିନ କାଟୁଛନ୍ତି। କେବଳ ସେତିକି ନୁହେଁ, ପୋଲିସ କିଛି ମହିଳା ଓ ଯୁବତୀଙ୍କୁ ଗାଡ଼ିରେ ନେଇ ଜଙ୍ଗଲ ମଝିରେ ଛାଡ଼ି ଦେଇଥିବା ଭଳି ସାଂଘାତିକ ଅଭିଯୋଗ ଆସିଛି, ଯାହା ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ସୃଷ୍ଟି କରିଛି।

ସ୍ଥାନୀୟ ଲୋକଙ୍କ କହିବା କଥା, କମ୍ପାନୀ ନିଜ ସ୍ୱାର୍ଥ ପାଇଁ ପ୍ରଶାସନିକ କଳକୁ ବ୍ୟବହାର କରି ଗରିବ ଲୋକଙ୍କ କଣ୍ଠରୋଧ କରୁଛି। ଜମି ହରାଇ ସର୍ବସ୍ୱାନ୍ତ ହୋଇଥିବା ପ୍ରଜାଙ୍କୁ କ୍ଷତିପୂରଣ ଦେବା ପରିବର୍ତ୍ତେ ଜେଲ୍ ପଠାଇବା କେତେଦୂର ନ୍ୟାୟସଙ୍ଗତ ବୋଲି ପ୍ରଶ୍ନ ଉଠିଛି।