ମୁଖ୍ୟ ଖବର

ଅନୁଗୁଳରେ ‘ନାରୀଶକ୍ତି ବନ୍ଦନ’ କାର୍ଯ୍ୟକ୍ରମ: ମହିଳା ସଶକ୍ତୀକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

By Angul TV Bureau

April 18, 2026

​ଅନୁଗୁଳ: ଅନୁଗୁଳଠାରେ ଆୟୋଜିତ ‘ନାରୀଶକ୍ତି ବନ୍ଦନ’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ମହିଳାମାନଙ୍କୁ ପଞ୍ଚାୟତରୁ ସଂସଦ ପର୍ଯ୍ୟନ୍ତ ନେତୃତ୍ୱ ନେବାକୁ ଆହ୍ୱାନ କରିଛନ୍ତି। ନାରୀଶକ୍ତି ବନ୍ଦନ ଅଧିନିୟମ ଅଧୀନରେ ସଂସଦ ଓ ବିଧାନସଭାରେ ୩୩ ପ୍ରତିଶତ ଆସନ ସଂରକ୍ଷଣକୁ ଏକ ଐତିହାସିକ ପଦକ୍ଷେପ ଭାବେ ବର୍ଣ୍ଣନା କରି ସେ କହିଛନ୍ତି ଯେ, ଏହି ବିଲ୍‌କୁ ବିରୋଧ କରିବା ଅର୍ଥ ନାରୀ ସଶକ୍ତୀକରଣକୁ ବିରୋଧ କରିବା।

​ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ ସୁଭଦ୍ରା ଯୋଜନା, ଲକ୍ଷପତି ଦିଦି ଏବଂ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାକୁ ମହିଳା ବିକାଶର ସୁଦୃଢ଼ ସ୍ତମ୍ଭ ଭାବେ ଅଭିହିତ କରିଛନ୍ତି। ଚଳିତ ବଜେଟରେ ମହିଳାଙ୍କ ପାଇଁ ୧.୨୨ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଥିବା ବେଳେ ଜେଣ୍ଡର ବଜେଟିଂରେ ୩୦ ପ୍ରତିଶତ ବୃଦ୍ଧି କରାଯାଇଛି। ଅନୁଗୁଳ ଜିଲ୍ଲାରେ ୯୦ ହଜାରରୁ ଅଧିକ ‘ଲକ୍ଷପତି ଦିଦି’ ଥିବା ସୂଚନା ଦେଇ ସେ ମହିଳାମାନଙ୍କ ଆର୍ଥିକ ସ୍ୱାଧୀନତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏହି ଅବସରରେ ସ୍ଥାନୀୟ ବିଧାୟକ ଓ ଜିଲ୍ଲାପାଳଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।