ମୁଖ୍ୟ ଖବର

ପରଖ ରାଷ୍ଟ୍ରୀୟ ସର୍ବେକ୍ଷଣର ରିପୋର୍ଟ କାର୍ଡ ପ୍ରକାଶିତ, ପ୍ରଥମ ୫ ଜିଲ୍ଲା ମଧ୍ୟରେ ଅନୁଗୁଳ

By Angul TV Bureau

September 25, 2025

ଅନୁଗୁଳ: ସାର୍ବଜନୀନ ହୋଇଛି ପରଖ ରାଷ୍ଟ୍ରୀୟ ସର୍ବେକ୍ଷଣର ରିପୋର୍ଟ କାର୍ଡ। ୨୦୨୪ ଡିସେମ୍ବର ୪ ତାରିଖରେ ସର୍ବଭାରତୀୟ ସ୍ତରରେ ଅନୁଷ୍ଠିତ ହୋଇଥିବା ଏହି ସର୍ବେକ୍ଷଣରେ ଅନୁଗୁଳର ରିପୋର୍ଟ କାର୍ଡ ମଧ୍ୟ ପ୍ରକାଶ ପାଇଛି।

ଅନୁଗୁଳ ଜିଲ୍ଲାର ହାରାହାରି ଉପଲବ୍ଧି ସ୍ତର ଉଭୟ ରାଜ୍ୟ ଏବଂ ଜାତୀୟ ସ୍ତରର ଉପଲବ୍ଧି ସ୍ତରଠାରୁ ଅପେକ୍ଷାକୃତ ଉପରେ ରହିଛି। ରାଜ୍ୟ ମଧ୍ୟରେ ଅନୁଗୁଳ ପ୍ରଥମ ପାଞ୍ଚଟି ଜିଲ୍ଲା ମଧ୍ୟରେ ରହିଛି।ଡି ଆଇ ଇ ଟି ଅନୁଗୁଳ, ଅତିରିକ୍ତ ଜିଲ୍ଳା ଶିକ୍ଷା ଅଧିକାରୀ, ଜିଲ୍ଲାର ସମସ୍ତ ବିଇଓ, ପେଡାଗୋଗି କୋ-ଅର୍ଡିନେଟର, ୨୦ ଜଣ ABEO, ୧୩୪ CRCC, ୪୮ ଡିଆରଜି ସଦସ୍ୟଙ୍କୁ ୪ଟି ପର୍ଯ୍ୟାୟ ରେ ଦକ୍ଷତା ବିକାଶ କର୍ମଶାଳା ମାଧ୍ଯମରେ ରିପୋର୍ଟ ସେୟାର କରାଯାଇଛି। ଏଥିରେ ଅନୁଗୁଳର ଯେଉଁ ଶିକ୍ଷାର୍ଥୀ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିନାହାନ୍ତି ସେଥିରେ ସୁଧାର ଆଣିବା ନିମନ୍ତେ ଯୋଜନା ପ୍ରସ୍ତୁତ କରାଯାଇଛି।

ପ୍ରତିଷ୍ଠାନର ଅଧ୍ୟକ୍ଷ ବିକ୍ରମ କୁମାର ସାହୁ, ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ମଦନ ସୁନ୍ଦର ପ୍ରଧାନ, ଡ. ଗଣେଶ୍ଵର ସାହୁ, ମମିତା ସାହୁ, ରାମକୃଷ୍ଣ ପରିଛା ଏବଂ ଛୋଟରାୟ ଟୁଡୁ ପ୍ରମୁଖ ସାଧନ କର୍ମୀ ଭାବେ କର୍ମଶାଳାକୁ ପରିଚାଳନା କରିଥିଲେ।

ପ୍ରକାଶଯୋଗ୍ୟ ଯେ ଏହି ରିପୋର୍ଟ କାର୍ଡରେ ଜାତୀୟ, ରାଜ୍ୟ ଏବଂ ଜିଲ୍ଲା ସ୍ତରରେ ଶିକ୍ଷାର୍ଥୀଙ୍କ ସାମଗ୍ରିକ ଉପଲବ୍ଧି ଆକଳନକୁ ପ୍ରକାଶିତ କରାଯାଇଛି। ଭାରତ ସରକାରଙ୍କ ଶିକ୍ଷା ବିଭାଗର ମାର୍ଗଦର୍ଶନ ଅନୁଯାୟୀ ଏହି ସର୍ବେକ୍ଷଣର ଫଳାଫଳକୁ ବିଭିନ୍ନ ଅଂଶୀଦାରଙ୍କ ସହିତ ପର୍ଯ୍ୟାୟ କ୍ରମେ ସେୟାର କରାଯାଉଛି।