ଅନ୍ୟାନ୍ୟ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ: କନ୍ୟା ସନ୍ତାନର ଯତ୍ନ ନେବା ସହ ଭବିଷ୍ୟତକୁ ସୁରକ୍ଷିତ କରିବା ଉପରେ ଗୁରୁତ୍ବାରୋପ

By Biswaranjan Pattnaik

January 25, 2024

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ବୁଧବାର ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ ହୋଇଛି। ବୈଠକରେ ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା.ବିଶ୍ବ ବିହାରୀ ମହାନ୍ତି ଅଧ୍ୟକ୍ଷତା କରି କନ୍ୟା ସନ୍ତାନର ଯତ୍ନ ନେବା ସହ ଭବିଷ୍ୟତକୁ ସୁରକ୍ଷିତ କରିବା ଉପରେ ଗୁରୁତ୍ବାରୋପ କରିଥିଲେ।

ସେ କହିଥିଲେ, ପି.ସି.ପି.ଏନ୍.ଡି.ଟି ଅଧୂନିୟମ ୧୯୯୪ ଅନୁଯାୟୀ ଗର୍ଭଧାରଣ ପୂର୍ବ ଏବଂ ପ୍ରସବ ପୂର୍ବ ଭ୍ରୁଣର ଲିଙ୍ଗ ନିରୂପଣ ଆଇନତଃ ଅପରାଧ। ନିରୂପଣ କରୁଥିବା ଓ କରାଉଥିବା ବ୍ୟକ୍ତିଙ୍କ ପାଇଁ ଆଇନ୍ ଅନୁଯାୟୀ କଠୋର ଦଣ୍ଡ ବିଧାନର ବ୍ୟବସ୍ଥା ଅଛି।

ସେହିପରି ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡ. ପୂର୍ଣ୍ଣିମା ଉଦ୍ଗାତା କହିଥିଲେ, ଯଦି କେହି ଗର୍ଭସ୍ଥ ଭ୍ରୁଣର ଲିଙ୍ଗ ନିରୂପଣରେ ଲିପ୍ତ ଅଛନ୍ତି ତେବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶାଳୟକୁ ସୂଚନା ପ୍ରଦାନ କରିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଫୋନ ଦ୍ବାରା ଜଣାଇବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ କନ୍ୟା ସନ୍ତାନଙ୍କ ମା’ଙ୍କୁ ସମ୍ମାନିତ କରାଯାଇଥିଲା।

କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକାରୀ, ପାରାମେଡିକାଲ ଷ୍ଟାଫ୍, ଆଶା ଓ ମା’ମାନେ ଉପସ୍ଥିତ ଥିଲେ।