ମୁଖ୍ୟ ଖବର

ଲଗାଣ ବର୍ଷାରେ ବେହାଲ ୫୫ ନମ୍ବର ଜାତୀୟ ରାଜପଥ, ଯାତାୟାତ ବାଧାପ୍ରାପ୍ତ

By Angul TV Bureau

July 05, 2026

ଅନୁଗୋଳ: ରାଜ୍ୟରେ ଜାରି ରହିଥିବା ମୌସୁମୀ ଜନିତ ଲଗାଣ ବର୍ଷା ଯୋଗୁଁ ଅନୁଗୋଳ ଜିଲ୍ଲା ପାଇଁ ପାଣିପାଗ ବିଭାଗ ‘ରେଡ୍ ଆଲର୍ଟ’ ଜାରି କରିଛି। ଗତ ତିନି ଦିନର ଅବିରତ ବର୍ଷା ସାଧାରଣ ଜୀବନଯାତ୍ରାକୁ ଅସ୍ତବ୍ୟସ୍ତ କରି ପକାଇଛି।

ବଅଁରପାଳ ନୂଆହତା ଓଭର ବ୍ରିଜ ନିକଟସ୍ଥ ୫୫ ନମ୍ବର ଜାତୀୟ ରାଜପଥରେ ଏବେ ଘୋର ଜଳବନ୍ଦୀ ସମସ୍ୟା ଦେଖାଦେଇଛି। ରାସ୍ତା ଉପରେ ପ୍ରାୟ ଏକ ଫୁଟରୁ ଅଧିକ ପାଣି ଜମି ରହିଥିବାରୁ ରାଜପଥ ସମ୍ପୂର୍ଣ୍ଣ ଦୃଶ୍ୟମାନ ହେଉନାହିଁ। ଫଳରେ ଦୁଇଚକିଆ ଓ ଚାରିଚକିଆ ଯାନ ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି ଏବଂ ଅଞ୍ଚଳରେ ତୀବ୍ର ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି।

ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ, ଅଞ୍ଚଳରେ ପାଣି ନିଷ୍କାସନ ପାଇଁ ଉପଯୁକ୍ତ ଡ୍ରେନେଜ ବ୍ୟବସ୍ଥା ନାହିଁ। ବଜାରରୁ ନୂଆହତା ପର୍ଯ୍ୟନ୍ତ ନିର୍ମିତ ଡ୍ରେନଟି ମଧ୍ୟ ଅବୈଜ୍ଞାନିକ ଭାବେ ତିଆରି ହୋଇଥିବାରୁ ପାଣି ବାହାରି ପାରୁନାହିଁ। ତୁରନ୍ତ ଡ୍ରେନ ସମସ୍ୟାର ସମାଧାନ କରିବାକୁ ସ୍ଥାନୀୟ ଲୋକେ ପ୍ରଶାସନ ନିକଟରେ ଦାବି କରିଛନ୍ତି।