ମୁଖ୍ୟ ଖବର

ସର୍ବଭାରତୀୟ ପବିତ୍ରନଗର କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ: ପ୍ରଥମ ମ୍ୟାଚ୍ ଜିତିଲା ତାଳଚେର

By Angul TV Bureau

January 05, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ପବିତ୍ରନଗର ମିନି ଷ୍ଟାଡିୟମରେ ରବିବାର ପବିତ୍ରନଗର କ୍ଲବ ପକ୍ଷରୁ ୩୫ତମ ସର୍ବଭାରତୀୟ ପବିତ୍ରନଗର କପ କ୍ରିକେଟ ଟୁର୍ଣାମେଣ୍ଟ ଉଦଘାଟିତ ହୋଇଛି। ମୁଖ୍ୟ ଅତିଥି ଭାବରେ ପାଳଲହଡା ବିଧାୟକ ଅଶୋକ କୁମାର ମହାନ୍ତି, ସମ୍ମାନିତ ଅତିଥି ଭାବେ କଣିହାଁ ତହସିଲଦାର ଚିନ୍ମୟ ଦାସ ଯୋଗଦାନ କରି ଟୁର୍ଣ୍ଣାମେଣ୍ଟ ଉଦଘାଟନ କରିଥିଲେ। ଏହି ଟୁର୍ଣାମେଣ୍ଟରେ ରାଜ୍ୟ ଓ ଦେଶର ବିଭିନ୍ନ ଦଳ ଭାଗ ନେଉଛନ୍ତି।

ଆଜି ପ୍ରଥମ ଦିନରେ ଆୟୋଜକ ପବିତ୍ରନଗର ଓ ତାଳଚେର ୟୁଥ ସ୍ପୋର୍ଟିଂ ଟିମ ମଧ୍ୟରେ ଅନୁଷ୍ଠିତ ଖେଳରେ ତାଳଚେର ବିଜୟ ଲାଭ କରିଥିଲା। ଟସ ଜିତି ପବିତ୍ରନଗର ବୋଲିଂ ନିଷ୍ପତ୍ତି ନେଇଥିଲା। ତାଳଚେର ଟିମ ବ୍ୟାଟିଂ କରି ୨୦ ଓଭରରେ ୧୨୩ ରନର ଲକ୍ଷ ଧାର୍ଯ୍ୟ ରଖିଥିବା ବେଳେ ପବିତ୍ରନଗର ଟିମ ୯୮ ରନରେ ସୀମିତ ରହିଥିଲା। ତାଳଚେର ଟିମର ସତ୍ୟପ୍ରକାଶ ବେହେରା ଆଜି ମ୍ୟାନ ଅଫ ଦି ମ୍ୟାଚ ଭାବେ ପୁରସ୍କୃତ ହୋଇଥିଲେ। ପୁରସ୍କାର ବିତରଣ ସଭାରେ ବରିଷ୍ଠ ବିଜେପି ନେତା ରମେଶ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅମ୍ପାୟାର ଭାବେ ପ୍ରଣବ କିଶୋର ଗଡ଼ନାୟକ, ଶିଶୁପାଳ ପ୍ରଧାନ, ସ୍କୋରର ଭାବେ ସିପୁନ ବିଶ୍ବାଳ, ଅଭିଷେକ ସାହୁ, କମେଣ୍ଟେଟର ଭାବେ ସୁବାଷ ବେହେରା ରହିଥିଲେ। କ୍ଲବ ସଭାପତି ଅଜୟ ପ୍ରଧାନ ଓ ସମସ୍ତ ସଦସ୍ୟ ସହଯୋଗ କରିଥିଲେ। ସୋମବାର ତାଳଚେର ୟୁଥ ସ୍ପୋର୍ଟିଂ ଓ ଉତ୍ତରପ୍ରଦେଶ ଟିମ ମଧ୍ୟରେ ଖେଳ ଅନୁଷ୍ଠିତ ହେବ।