ମୁଖ୍ୟ ଖବର

ଅନୁଗୁଳରେ ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳା ଉଦଘାଟିତ, ୯ ଦିନ ଧରି କିଣାକିଣି କରିବା ସହ ଖାଦ୍ୟର ମଜା ନେବେ ସହରବାସୀ

By Swagatika Samantray

September 15, 2024

ଅନୁଗୁଳ: ଚଳିତ ବର୍ଷ ପଞ୍ଚଦଶତମ ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳା ନାଲକୋନଗର ଠାରେ ଉଦଘାଟିତ ହୋଇଛି। ଜିଲ୍ଲା ପ୍ରଶାସନ ଏବଂ ଓରମାସ ସହାୟତାରେ ଆୟୋଜିତ ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରିବ କାରିଗର, ସ୍ଵୟଂସହାୟକ ଗୋଷ୍ଠୀ, ଉତ୍ପାଦକ ଗୋଷ୍ଠୀ, ଉତ୍ପାଦକ କମ୍ପାନୀ ଏବଂ ଚାଷୀ ଉତ୍ପାଦକ ଅନୁଷ୍ଠାନଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀକୁ ସିଧାସଳଖ ଗ୍ରାହକ ଓ ଖାଉଟିଙ୍କ ନିକଟରେ ପହଞ୍ଚାଇବା। ପ୍ରତିବର୍ଷ ଅନୁଗୁଳ ଜିଲ୍ଲାର ଆଲୁମିନିୟମ ନଗରୀର ପ୍ରସିଦ୍ଧ ବିଶ୍ଵକର୍ମା ପୂଜା ଉପଲକ୍ଷେ ଏହି ମେଳା ଆୟୋଜିତ ହୁଏ। ଚଳିତବର୍ଷ ମେଳାରେ ମୋଟ ୨୨୦ ଟି ଷ୍ଟଲର ବ୍ୟବସ୍ଥା କରାଯାଇଛି ଏବଂ ୧୨ ଟି ଖାଦ୍ୟ ଷ୍ଟଲର ମଧ୍ଯ ଆୟୋଜନ କରାଯାଇଛି। ଓଡ଼ିଶା ସମେତ ବାହାର ରାଜ୍ୟରୁ ମଧ୍ୟ କାରିଗର ଓ ସ୍ବୟଂସହାୟକ ଗୋଷ୍ଠୀ ମେଳାରେ ଭାଗ ନେବେ। ନଅ ଦିନ ଧରି ଏହି ମେଳା ସକାଳ ୧୦ଟା ରୁ ରାତି ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ।

ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗର ମନ୍ତ୍ରୀ ରବି ନାରାୟଣ ନାଏକ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି, ଆଠମଲ୍ଲିକ ବିଧାୟକ ନଳିନୀ କାନ୍ତ ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ, ନାଲକୋ ଇଡି ଏନ୍ ଏସ ସୁବ୍ରମଣ୍ୟହମ୍, ଜିଲ୍ଲାପାଳ ଅବଦଲ ଏମ. ଅଖତାର, ପଲ୍ଲିଶ୍ରୀ ମେଳାର କାର୍ଯ୍ୟ ନିର୍ବାହୀ ଅଧିକାରୀ ହେମନ୍ତ କୁମାର ସିଂ, ପଦ୍ମନାଭ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।