ମୁଖ୍ୟ ଖବର

ତାଳଚେର ପ୍ରେସ୍‌‍ କ୍ଲବ୍‌‍ ପକ୍ଷରୁ ଜାତୀୟ ପ୍ରେସ୍‌‍ ଦିବସ ପାଳିତ: ଗଣତନ୍ତ୍ରରେ ଗଣମାଧ୍ୟମର ଭୂମିକା ଉପରେ ଆଲୋଚନା

By Angul TV Bureau

November 16, 2024

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ପ୍ରେସ୍‌‍ କ୍ଲବ୍‌‍ ପକ୍ଷରୁ ଜାତୀୟ ପ୍ରେସ୍‌‍ ଦିବସ ପାଳିତ ହୋଇଛି। ହାଟତୋଟା ସ୍ଥିତ ସାମ୍ୱାଦିକ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ପ୍ରେସ୍‌‍ ଦିବସରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ମହେଶ ସାହୁ ଯୋଗଦେଇ ଗଣତନ୍ତ୍ରରେ ଗଣମାଧ୍ୟମର ଭୂମିକା ଗୁରୁତ୍ଵପୂର୍ଣ୍ଣ ବୋଲି ମତ ଦେଇଥିଲେ। ଶ୍ରୀ ସାହୁ ଜାତୀୟ ପ୍ରେସ ଦିବସ ପାଳନର ତାପର୍ଯ୍ୟ ଓ ଏକ ସୁସ୍ଥ ସମାଜ ଗଠନରେ ସାମ୍ୱାଦିକମାନଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ।

ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରେସ ଦିବସରେ ମୁଖ୍ୟବକ୍ତା ଭାବେ ତାଳଚେର ସ୍ଵୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ମେଜର ସୁବ୍ରତ କୁମାର ଦାସ ଓ ସମ୍ମାନିତ ଅତିଥି ଭାବେ ବରିଷ୍ଠ ଆଇନ୍‌‍ଜୀବୀ ଦେବୀ ପ୍ରସାଦ ରଥ ଓ ପୂର୍ବତନ ନଗରପାଳ କେଶବ ଭୂତିଆ ଯୋଗଦେଇ ଜନତା, ଲୋକପ୍ରତିନିଧି ଓ ପ୍ରଶାସନ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରି ସୁସ୍ଥ ସମାଜ ଗଠନ ପାଇଁ ଗଣମାଧ୍ୟମର ଆବଶ୍ୟକତା ଉପରେ ଗୁରୁତ୍ଵାରୋପ କରିଥିଲେ। ପ୍ରେସ୍‌‍ କ୍ଲବ୍‌‍ର ଉପସଭାପତି ଦେବୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାରମ୍ଭରେ ସଂଘର ପ୍ରତିଷ୍ଠାତା ସାମ୍ୱାଦିକ ଗୌରବ ସ୍ଵର୍ଗତ ଦିବାକର ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ଅତିଥିମାନେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ପ୍ରଦୀପ ପ୍ରଜ୍ଜ୍ଵଳନ କରିଥିଲେ। ପ୍ରେସ୍‌‍ କ୍ଲବ୍‌‍ର ସାଧାରଣ ସମ୍ପାଦକ ଡ. ରଶ୍ମିରଞ୍ଜନ ମିଶ୍ରଙ୍କ ଭୁବନେଶ୍ଵର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଯୋଗୁଁ ସେ ଆଜିର କାର୍ଯ୍ୟକ୍ରମରେ ଯୋଗ ଦେଇ ପାରିନଥିଲେ ସୁଦ୍ଧା ତାଙ୍କର ଆଶୁ ଆରୋଗ୍ୟ କାମନା କରାଯାଇଥିଲା।

ଏହି ଅବସରରେ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି, ବୁଦ୍ଧିଜୀବୀ, ସରକାରୀ ଓକିଲ, ବରିଷ୍ଠ ଆଇନଜୀବୀ, ମହିଳା ସ୍ଵୟଂସହାୟକ ଗୋଷ୍ଠୀ, ମହିଳା ସଂଗଠନ ଓ କବି, ସମାଜସେବୀଙ୍କୁ ମୁଖ୍ୟଅତିଥି ଉତ୍ତରୀୟ ଦେଇ ସମ୍ୱର୍ଦ୍ଧିତ କରିଥିଲେ।