ମୁଖ୍ୟ ଖବର

ଅନୁଗୁଳରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ: ଚଳିତ ବର୍ଷର ଥିମ ରହିଛି ‘କୃତ୍ରିମ ମେଧା ଯୁଗରେ ଗଣମାଧ୍ୟମ’

By Angul TV Bureau

November 16, 2023

ଅନୁଗୁଳ: ଆଜି ଅନୁଗୁଳରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ପାଳିତ ହୋଇଛି। ଚଳିତ ବର୍ଷର ଜାତୀୟ ପ୍ରେସ ଦିବସର ଥିମ ରହିଛି ‘କୃତ୍ରିମ ମେଧା ଯୁଗରେ ଗଣମାଧ୍ୟମ’। ପ୍ରଥମେ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସଭା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏ ଅବସରରେ ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ସରକାର କାର୍ଯ୍ୟକାରୀ କରିଥିବା ବିଭିନ୍ନ ଉନ୍ନୟନ ମୂଳକ ପଦକ୍ଷେପ ଉପରେ ଅତିରିକ୍ତ ଜିଲ୍ଲାପାଳ ଆଲୋକପାତ କରିଥିଲେ।ଗଣମାଧ୍ୟମ ସାମ୍ପ୍ରତିକ ଇତିହାସର ରଚୟିତା ତେଣୁ ସେମାନେ ସତ୍ୟନିଷ୍ଠ ଓ ଦାୟିତ୍ବବାନ ହୋଇ ପ୍ରକୃତ ତଥ୍ୟ ଉପସ୍ଥାପନ କରିବା ଉପରେ ମଧ୍ୟ ସେ ଗୁରୁତ୍ବାରୋପ କରିଥିଲେ। କାର୍ଯ୍ୟକ୍ରମରେ ସାମ୍ବାଦିକଙ୍କୁ ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା କାର୍ଡ ବଣ୍ଟନ କରାଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ସରକାରୀ ଓକିଲ ପରମାନନ୍ଦ ମିଶ୍ର, ଅନୁଗୁଳ ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ. ଗଙ୍ଗାଧର କର, ମାଧ୍ୟମିକ ଶିକ୍ଷା ପରିଷଦର ଅବସରପ୍ରାପ୍ତ ସଭାପତି ଡ.ଧରଣୀଧର ନାଥ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ କୈଳାଶ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।