ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ାଠାରେ ଜନଜାତୀୟ ଗରିମା ଉତ୍ସବ-୨୦୨୬ ଅନ୍ତର୍ଗତ ଜିଲ୍ଲାସ୍ତରୀୟ ‘ଜନ ଭାଗୀଦାରୀ ଅଭିଯାନ’ ଶୁଭାରମ୍ଭ ହୋଇଯାଇଛି। ଅନୁଗୁଳ ଜିଲ୍ଲାପାଳ ଅଦାଲ୍ ମୁହମ୍ମଦ୍ ଅଵାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି। ମେ’ ୧୮ରୁ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନ ଜିଲ୍ଲାର ୯୨ଟି ଅନୁସୂଚିତ ଜନଜାତି ଅଧ୍ୟୁଷିତ DA-JGUA ତଥା PM-JANMAN ଗ୍ରାମରେ ଜାରି ରହିବ।
ଜନଜାତି ସଂପ୍ରଦାୟର ସଶକ୍ତୀକରଣ, ସେମାନଙ୍କ ଐତିହ୍ୟର ସମୃଦ୍ଧି ଏବଂ ଅଧିକାର ସୁନିଶ୍ଚିତ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ଏହି ଅଭିଯାନ ମାଧ୍ୟମରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସୁଫଳକୁ ସମାଜର ଶେଷ ବ୍ୟକ୍ତିଙ୍କ ପାଖରେ ପହଞ୍ଚାଇବା ସହ ତୃଣମୂଳ ସ୍ତରରେ ଲୋକଙ୍କ ସମସ୍ୟାର ସମାଧାନ କରାଯିବ।
ଜିଲ୍ଲାପାଳ ସମସ୍ତ ବିଭାଗକୁ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରି ଏହି ଅଭିଯାନକୁ ସଫଳ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ମଙ୍ଗଳ ବିଭାଗ ପକ୍ଷରୁ ସମଗ୍ର କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ କରାଯାଇଥିଲା।