ତାଳଚେର: ମହାନଦୀ କୋଲ୍ ଫିଲ୍ଡ଼, ଜଗନ୍ନାଥ କ୍ଷେତ୍ର ଅନ୍ତର୍ଗତ ଡିଏଭି ପବ୍ଲିକ୍ ସ୍କୁଲ, ଅନନ୍ତ ବିହାର ପରିସରରେ ଜାତୀୟ କ୍ରୀଡ଼ା ଦିବସ ବେଶ୍ ଧୁମଧାମରେ ପାଳିତ ହୋଇଛି। ଏମ୍.ସି.ଏଲ୍. ଜଗନ୍ନାଥ କ୍ଷେତ୍ରର ବରିଷ୍ଠ କ୍ରୀଡା ସଂଯୋଜକ ଆଇ.ଜି.ପାଢୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସୁସ୍ଥ ନିରୋଗ ଜୀବନ ଯାପନ ପାଇଁ କ୍ରୀଡ଼ାର ଗୁରୁତ୍ୱ ସମ୍ପର୍କରେ ଉପସ୍ଥାପନ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷା ଜ୍ୟୋତି ମିଶ୍ର ମୁଖ୍ୟ ଅତିଥିଙ୍କ ପରିଚୟ ପ୍ରଦାନ ସହିତ ଛାତ୍ରଛାତ୍ରୀଙ୍କୁ କ୍ରୀଡ଼ା କ୍ଷେତ୍ରରେ ଆଗକୁ ବଢି଼ବାର ଅନେକ ସୁଯୋଗ ରହିଥିବା ସମ୍ପର୍କରେ ଅବଗତ କରାଇଥିଲେ। ବିଦ୍ୟାଳୟର କ୍ରୀଡ଼ା ଶିକ୍ଷୟିତ୍ରୀ ମଧୁମିତା ଛୁଆଳସିଂହ ଜାତୀୟ କ୍ରୀଡ଼ା ଦିବସ ପାଳନର ଉଦ୍ଦେଶ୍ୟ ସମ୍ଵନ୍ଧରେ ତଥ୍ୟ ସମ୍ବଳିତ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଏ ଅବସରରେ ବିଦ୍ୟାଳୟର ସ୍ଵନାମଧନ୍ୟ ଛାତ୍ରଛାତ୍ରୀ, ଯେଉଁମାନେ ଜାତୀୟ ସ୍ତରର ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ବିଦ୍ୟାଳୟକୁ ଗୌରବାନ୍ଵିତ କରିଛନ୍ତି, ସେମାନଙ୍କୁ ମୁଖ୍ୟ ଅତିଥି ମହୋଦୟ ପ୍ରମାଣ ପତ୍ର ପ୍ରଦାନ ସହିତ ସମ୍ବର୍ଦ୍ଧିତ କରିଥିଲେ।
ବିଦ୍ୟାଳୟର ଶିକ୍ଷୟିତ୍ରୀ ପ୍ରତ୍ୟୁଷା ଅମାନ୍ତ ଏବଂ ଛାତ୍ରୀ ଶ୍ରେୟା ଶାଳିନୀ ଏହି ଉତ୍ସବର ମଞ୍ଚ ସଞ୍ଚାଳନ କରିଥିବା ବେଳେ ଶିକ୍ଷକ ସୀମାଞ୍ଚଳ ପତି ବୈଷୟିକ ସହଯୋଗ କରିଥିଲେ।ପରିଶେଷରେ ବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଅଞ୍ଜନ ମୁଦୁଲି ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ସହଯୋଗ କରିଥିଲେ।