ମୁଖ୍ୟ ଖବର

ନାଲକୋନଗରରେ ଅଗଷ୍ଟ ୧୮ରୁ ଜାତୀୟ ଜନଜାତି କାର୍ଣିଭାଲ

By Biswaranjan Pattnaik

August 17, 2023

ଅନୁଗୁଳ: ଆସନ୍ତା ଅଗଷ୍ଟ ୧୮ ତାରିଖରୁ ୨୮ ତାରିଖ ଯାଏ ନାଲକୋନଗର ଠାରେ ଏକ ଜାତୀୟ ସ୍ତରିୟ ଆଦିବାସୀ ମେଳା ଅନୁଷ୍ଠିତ ହେବ। ସା ପରିଚୟ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏହି ମେଳାକୁ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍ଘାଟନ କରିବେ।

ଏଥିନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ତଥ୍ୟ ରଖିଥିଲେ ଫାଉଣ୍ଡେସନର ମ୍ୟାନେଜିଂ ଟ୍ରଷ୍ଟି ସୁଭାସିସ ଦାସ। ଏହି ମେଳାରେ ୧୦୦ଟି ଷ୍ଟଲ ରଖାଯାଇଛି । ଓଡ଼ିଶାର ୧୩ଟି ଜିଲ୍ଲା ସମେତ ଦେଶର ୧୧ ରାଜ୍ୟର ଆଦିବାସୀ କାରିଗର ଏବଂ କଳାକାର ଅଂଶ ଗ୍ରହଣ କରିବେ। କୋଟପାଡ଼ ଟେକ୍ସଟାଇଲ,ମୟୂରଭଞ୍ଜର ସବାଇଘାସ,ଲାଖ କାମ ସମେତ ଆଦିବାସୀ ମହିଳାଙ୍କ ଦ୍ଵାରା ପ୍ରସ୍ତୁତ ମସଲା,ଆଚାର,ଘର କରଣା ଜିନିଷ,ଜଙ୍ଗଲ ଜାତ ଦ୍ରବ୍ଯ,ଟେରାକୋଟା କାମ ଆଦି ମେଳାରେ ପ୍ରଦର୍ଶିତ ହେବା ସହ ବିକ୍ରୟ କରାଯିବ। ପ୍ରତିଦିନ ସନ୍ଧ୍ୟାରେ ଆକର୍ଷଣୀୟ ଜନଜାତି ନୃତ୍ୟ ପରିବେଷଣ କରାଯିବ। ଏହି ସାମ୍ବାଦିକ ସମ୍ମିଳନୀରେ ମଞ୍ଜୁଳା ବେହେରା,ନୀଳମଣି ଖାତୀ,ଧିରେନ୍ ପରିଡ଼ା,ଅମିୟ ମହାନ୍ତି ଓ ଅର୍ଜୁନ କିସ୍କୋ ପ୍ରମୁଖ ଉପସ୍ଥିତ ଥିଲେ ।