ମୁଖ୍ୟ ଖବର

ଅନୁଗୋଳରେ ରାଷ୍ଟ୍ରୀୟ ଏକତା ଦିବସ: ଡିଆଇଜି ଓ ଏସ୍‌ପିଙ୍କ ନେତୃତ୍ୱରେ ସହର ପରିକ୍ରମା, ଏକତା ଓ ସଂହତିର ଶପଥ

By Angul TV Bureau

October 31, 2026

ଅନୁଗୋଳ: ଜାତୀୟ ଏକତା ଓ ଅଖଣ୍ଡତାର ବାର୍ତ୍ତା ନେଇ ଅନୁଗୋଳରେ ପାଳିତ ହୋଇଛି ରାଷ୍ଟ୍ରୀୟ ଏକତା ଦିବସ। ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଜୟନ୍ତୀ ଅବସରରେ ଅନୁଗୋଳ ପୋଲିସ ପକ୍ଷରୁ ଆୟୋଜିତ ଏକତା ଦୌଡ଼ରେ ଶତାଧିକ ଲୋକ ସାମିଲ ହୋଇ ଦେଶର ଅଖଣ୍ଡତା ରକ୍ଷା ପାଇଁ ସଂକଳ୍ପ ନେଇଥିଲେ।

ଅନୁଗୋଳ ଟାଉନ ଥାନାଠାରୁ ସକାଳ ୭ଟା ୩୦ରେ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ କୁମାର ସିଂ ଓ ଜିଲ୍ଲା ଏସ୍‌ପି ରାହୁଲ ଜୈନଙ୍କ ନେତୃତ୍ୱରେ ଏହି ଦୌଡ଼ ଆରମ୍ଭ ହୋଇଥିଲା। ବୁଢ଼ୀଠାକୁରାଣୀ ଛକ, ବଜାର ରାସ୍ତା ଓ ରାଜା ଛକ ଦେଇ ଦୌଡ଼ଟି ପୁନର୍ବାର ଟାଉନ ଥାନାଠାରେ ଶେଷ ହୋଇଥିଲା।

ଏଥିରେ ପୋଲିସ, ବନ ବିଭାଗ, ଅବକାରୀ ବିଭାଗ, ପୋଲିସ ଟ୍ରେନିଂ କଲେଜ, ଅନୁଗୋଳ କଲେଜର ଏନ୍‌ସିସି କ୍ୟାଡେଟ୍‌, ରୋଟାରି ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ବିଭିନ୍ନ ସେବା ସଂଗଠନର ସଦସ୍ୟମାନେ ଉତ୍ସାହର ସହ ଭାଗ ନେଇଥିଲେ।

କାର୍ଯ୍ୟକ୍ରମ ଶେଷରେ ଡିଆଇଜି ଓ ଏସ୍‌ପି ଉପସ୍ଥିତ ସମସ୍ତଙ୍କୁ ଜାତୀୟ ଏକତା, ଅଖଣ୍ଡତା ଓ ଭାଇଚାରା ବଜାୟ ରଖିବା ସହ ଦେଶର ସଂହତିକୁ ସୁଦୃଢ଼ କରିବା ପାଇଁ ଶପଥ ପାଠ କରାଇଥିଲେ। ସର୍ଦ୍ଦାର ପଟେଲଙ୍କ ଦୂରଦର୍ଶୀ ନେତୃତ୍ୱ ଓ ଦେଶକୁ ଏକତ୍ରିତ କରିବାରେ ତାଙ୍କ ଅବଦାନକୁ ସ୍ମରଣ କରାଯାଇଥିଲା। ଏକତା ଓ ଭାଇଚାରାର ଭାବନାକୁ ଆଗକୁ ବଢ଼ାଇବା ସହ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ସ୍ୱପ୍ନକୁ ସାକାର କରିବାକୁ ଆହ୍ୱାନ ଦିଆଯାଇଥିଲା।