କଳା ଓ ସଂସ୍କୃତି

ମା’ ହିଙ୍ଗୁଳାଙ୍କ ପୀଠରେ ନବରାତ୍ର ପୂଜା, ୩୭ ବର୍ଷର ପରମ୍ପରା ଅବ୍ୟାହତ

By Angul TV Bureau

October 12, 2026

ଅନୁଗୋଳ: ଅନୁଗୋଳ ଜିଲ୍ଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ପୀଠରେ ଆରମ୍ଭ ହୋଇଛି ପ୍ରସିଦ୍ଧ ଶାରଦୀୟ ନବରାତ୍ର ପୂଜା। ଦୀର୍ଘ ୩୭ ବର୍ଷ ଧରି ଏଠାରେ ପାରମ୍ପରିକ ରୀତିନୀତିରେ ଏହି ପୂଜା ଅନୁଷ୍ଠିତ ହୋଇଆସୁଛି।

ଦଶ ଦିନ ଧରି ଚାଲିବାକୁ ଥିବା ଏହି ପୂଜାର ଦ୍ୱିତୀୟ ଦିନରେ ମା’ ବ୍ରହ୍ମଚାରିଣୀଙ୍କ ପୂଜା ସହ ସୂର୍ଯ୍ୟପୂଜା, ଗୋପୂଜା, ଦେବୀ ଉପଚାର, ଚଣ୍ଡୀପାଠ, ହୋମ ଓ ଯଜ୍ଞ ଆଦି ବିଧିବିଧାନ ଅନୁଯାୟୀ ସମ୍ପନ୍ନ ହୋଇଛି। ନବରାତ୍ରର ପ୍ରତ୍ୟେକ ଦିନ ମା’ଙ୍କ ନବଦୁର୍ଗା ସ୍ୱରୂପଙ୍କ ପୂଜା କରାଯିବା ସହ ଦଶମ ଦିନରେ ଅପରାଜିତା ପୂଜା, ଆରତୀ ଓ ପୂର୍ଣ୍ଣାହୁତି ଅନୁଷ୍ଠିତ ହେବ।

ସ୍ୱାମୀ ଧୀରେନ୍ ଚୈତନ୍ୟ ମହାରାଜଙ୍କ ଆବାହକତ୍ୱରେ ପଣ୍ଡିତ ସରୋଜ କୁମାର ତ୍ରିପାଠୀ ଓ ଆଚାର୍ଯ୍ୟ ସୁରେଶ ଚନ୍ଦ୍ର ଧର ଯଜ୍ଞକାର୍ଯ୍ୟ ପରିଚାଳନା କରୁଛନ୍ତି। ଦାମୋଦର ଦୋରା ଓ ରାଜକିଶୋର ସାହୁ କର୍ତ୍ତା ଭାବେ ଦାୟିତ୍ୱ ତୁଲାଉଛନ୍ତି। ସ୍ଥାନୀୟ ଶ୍ରଦ୍ଧାଳୁଙ୍କ ସହଯୋଗରେ ଆୟୋଜିତ ଏହି ପୂଜାକୁ ନେଇ ହିଙ୍ଗୁଳା ପୀଠରେ ଧାର୍ମିକ ପରିବେଶ ସୃଷ୍ଟି ହୋଇଛି।