ମୁଖ୍ୟ ଖବର

ଅପରାଧୀଙ୍କୁ ଘଣ୍ଟ ଘୋଡ଼ାଉଛି ପୋଲିସ, ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଦୁଆରେ ବିନତି କରୁଛନ୍ତି ପୀଡି଼ତା

By Angul TV Bureau

May 22, 2023

ଅନୁଗୁଳ: ପୋଲିସ ଅପରାଧୀଙ୍କୁ ଘଣ୍ଟ ଘୋଡ଼ାଉଛି। ଏଭଳି ସଙ୍ଗୀନ ଅଭିଯୋଗ ଆଣି ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ମହିଳା। ଏତଲା ପରେ ବି ଆପୋଷ ବୁଝାମଣା କରି ସମାଧାନ ପାଇଁ କହିବା ସହିତ ଏତଲା ଫେରସ୍ତ ନେବାକୁ ଧମକ ଦେଉଛି ବୋଲି ଅନିତା ବେହେରା ଅଭିଯୋଗ କରିଛନ୍ତି।

ଅନିତା ବେହେରାଙ୍କ ଅଭିଯୋଗ ମୁତାବକ, ସେ ନିଜ ପରିବାର ସହିତ ୩୦ ବର୍ଷରୁ ଅଧିକ ସମୟ ହେବ କାଙ୍ଗୁଲା ମୁଣ୍ଡିଆ ସାହିରେ ରହୁଛନ୍ତି। ତାଙ୍କ ପଡୋଶୀ ଭଜମନ ମୁଦୁଲି ଓ ତାର ପରିବାର ବର୍ଗ ତାଙ୍କୁ ଛୋଟ ଛୋଟ କଥାରେ ମାରପିଟ କରୁଥିଲେ। କିନ୍ତୁ ଏଇ କିଛି ଦିନ ହେବ ଭଜମନଙ୍କ ସହିତ ଅଳିଆ ଆବର୍ଜନା ପକାଇବାକୁ ନେଇ ଝଗଡା ଅଧିକ ହେବାରୁ ୮ ଏପ୍ରିଲ ଦିନ ଅନିତାଙ୍କ ମା’ ରଞ୍ଜୁ ବେହେରାଙ୍କୁ ଭଜମନ ମରଣାନ୍ତକ ଆକ୍ରମଣ କରିଥିଲେ। ଏହାର ଠିକ ଗୋଟିଏ ସପ୍ତାହ ପରେ ଅନିତାଙ୍କୁ ଭଜମନ ମୁଦୁଲି ଓ ତାଙ୍କ ପରିବାରର ୧୬ ଜଣ ଆକ୍ରମଣ କରିଥିଲେ। ଏଥିରେ ଅନିତାଙ୍କ ହାତ ହାଡ଼, ପଞ୍ଜରା ଓ ବେକରେ ଗଭୀର ଆଘାତ ଲାଗିବା ସହିତ ସେ ଗୁରୁତର ହୋଇଥିଲେ। ଏ ନେଇ ଅନିତା ଅନୁଗୁଳ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ପରେ ସେ ଚିକିତ୍ସା ପାଇଁ କଟକ ଏସସିବି ଯାଇଥିବା ବେଳେ ଆକ୍ରମଣକାରୀ ତାଙ୍କ ଘରେ କଳାକନା ବୁଲାଇ ଦେଇଥିଲେ। ଏଥିସହ ଦରକାରୀ କାଗଜ ପତ୍ର ସହ ଘରେ ଥିବା ୧୮ ହଜାର ଟଙ୍କା ମଧ୍ୟ ନେଇ ଯାଇଥିଲେ। ଏ ନେଇ ସେ ପୁଣିଥରେ ସଦର ଥାନାରେ ଜଣାଇଥିଲେ।

କିନ୍ତୁ ପୋଲିସ ଦୋଷୀ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇ ଓଲଟା ଅନିତା ଓ ତାଙ୍କ ପରିବାରକୁ ଦୋଷୀ ବିରୋଧରେ ଦେଇଥିବା ଅଭିଯୋଗକୁ ପ୍ରତ୍ୟାହାର କରି ନେଇ ଆପୋଷ ବୁଝାମଣା କରିବାକୁ ଚାପ ପକାଇଥିଲେ। ତେଣୁ ଅନ୍ୟ ଉପାୟ ନ ପାଇ ଆଜି ଅନିତା ଅନୁଗୁଳ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇ ପୋଲିସ ଓ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଧ କରିଛନ୍ତି।