ମୁଖ୍ୟ ଖବର

ମହାପ୍ରୟାଣ ଅଭାବରୁ ରୋଗୀଙ୍କ ସଂପର୍କୀୟ ହିନସ୍ତା: ଘରୋଇ ଗାଡିବାଲା ମାଲାମାଲ

By Biswaranjan Pattnaik

August 30, 2024

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯେଉଁଠାକୁ ଦୈନିକ ଚାରି ଶହରୁ ଛ’ ଶହ ରୋଗୀ ଆସନ୍ତି ସେଭଳି ସ୍ଥାନରେ ଗୋଟିଏ ମହାପ୍ରୟାଣ ସେବା ଯୋଗାଇବାରେ ବ୍ୟର୍ଥ ହେଉଛି। ମେଡ଼ିକାଲରେ ରୋଗୀର ମୃତ୍ୟୁ ହେଲେ ଘରକୁ ଶବ ନେବାପାଇଁ ମେଡ଼ିକାଲ ପକ୍ଷରୁ ମହାପ୍ରୟାଣ ସେବା ଆରମ୍ଭ କରାଯାଇଛି। ହେଡକ୍ୱାଟର ଚିକିତ୍ସାଳୟରେ ମାତ୍ର ଗୋଟିଏ ମହାପ୍ରୟାଣ ଗାଡି ଥିବାରୁ ରୋଗୀମାନେ ହଇରାଣ ହେଉଛନ୍ତି। ଗୁରୁବାର ସକାଳେ ହଣ୍ଡପା ଥାନା ଭେଜିଗୋଠ ଅଞ୍ଚଳର ହରିଶ ଚନ୍ଦ୍ର ସାହୁ ନାମକ ଜଣେ ଯୁବକଙ୍କ ସିକ୍ଲିଂ କାରଣରୁ ମୃତ୍ୟୁ ଘଟିଥିଲା। ମୃତ୍ୟୁ ପରେ ତାଙ୍କ ପରିବାର ଲୋକେ ମହାପ୍ରୟାଣ ଖୋଜି ଥିଲେ ମଧ୍ୟ ମିଳିନଥିଲା। ଜରପଡା ରେଲୱେ ଓଭର୍ ବ୍ରିଜ ତଳୁ ଜଣେ ମହିଳାଙ୍କ ଗଳିତ ଶବ ମିଳିଥିଲା ଯାହାକୁ ଡାକ୍ତର ବ୍ୟବଚ୍ଛେଦ କରି ପାରି ନଥିଲେ। ତେଣୁ ଶବକୁ ପୋଲିସ ମହାପ୍ରୟାଣ ଗାଡ଼ିରେ କଟକ ନେଇଥିଲା ଫଳରେ ରୋଗୀଙ୍କ ସମ୍ପର୍କୀୟ ମାନେ ଘରୋଇ ଶବ ବୁହା ଗାଡି ନେଇ ତିନି ଗୁଣା ଭଡ଼ା ଦେଇଥିଲେ।

ଏଥିରେ ପ୍ରଶ୍ନ ଉଠୁଛି ଅନୁଗୁଳ ମେଡ଼ିକାଲରେ ଦ୍ଵିତୀୟ ମହାପ୍ରୟାଣ ଗାଡି ପାଇଁ ବାରମ୍ବାର ଚିଠି ଲେଖା ଯାଇଥିଲେ ମଧ୍ୟ କର୍ତୃପକ୍ଷ ନୀରବ ବସିଥିବା ଜଣାପଡିଛି। ଜିଲ୍ଲାରେ ଲକ୍ଷ ଲକ୍ଷ ଟଙ୍କା ଡିଏମ୍‌ଏଫ୍‌ ପାଣ୍ଠିରୁ ଖର୍ଚ୍ଚ ହେଉଥିବା ବେଳେ ଦ୍ଵିତୀୟ ମହାପ୍ରୟାଣ ଗାଡି କିଣିବା ପାଇଁ ଅସୁବିଧା କେଉଁଠି ରହିଲା ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି।