ମୁଖ୍ୟ ଖବର

ଆଠମଲ୍ଲିକରେ ‘ଗରିବ କଲ୍ୟାଣ ସମାବେଶ’ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କହିଲେ- ଡବଲ ଇଞ୍ଜିନ ସରକାର ହେଲେ ହିଁ ଓଡ଼ିଶାର ପ୍ରଗତି ହେବ

By Angul TV Bureau

May 27, 2023

ଆଠମଲ୍ଲିକ: ଆଠମଲ୍ଲିକରେ ଆୟୋଜିତ ବିଶାଳ ଜନସଭାରେ ଯୋଗ ଦେଇଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏ ଅବସରରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ହିଁ ଆଠମଲ୍ଲିକ ଓ ଓଡ଼ିଶାର ବିକାଶ ହେବ। ରାଜ୍ୟରେ ଡବଲ ଇଞ୍ଜିନ ସରକାର ହେଲେ ହିଁ ଓଡ଼ିଶାର ପ୍ରଗତି ହେବ ବୋଲି ସେ କହିଛନ୍ତି। ସେହିପରି ଗରିବ କଲ୍ୟାଣ ଯୋଜନାରେ ଖାଦ୍ୟାନ୍ନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର, ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ, ଜଳ ଜୀବନ ମିଶନ, ଉଜ୍ଜ୍ୱଳା ଯୋଜନା ଓ ମନରେଗା ଭଳି ରୋଜଗାର ଯୋଜନାରେ ଆଠମଲ୍ଲିକ ଏବଂ ଓଡ଼ିଶାବାସୀ ସୁବିଧା ହୋଇଛନ୍ତି । ଅପରପକ୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାଟମାରଣା କାରଣରୁ ଆଠମଲ୍ଲିକରେ ଯୋଗ୍ୟ ଲୋକଙ୍କୁ ଘର ମିଳୁନାହିଁ । ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ ଇଣ୍ଡିଆରେ ଗରିବଙ୍କ ପାଇଁ ଆସୁଥିବା ଟଙ୍କା ସିଧାସଳଖ ଲାଭାର୍ଥୀଙ୍କ ବ୍ୟାଙ୍କ୍ ଖାତାକୁ ଦେବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରଯାଇଛି । ମାତ୍ର ସେ ନଗଦ ଅର୍ଥ ପ୍ରଦାନ କରିବାର ନିଷ୍ପତ୍ତି ନେଇ ଦୁର୍ନୀତିକୁ ପ୍ରୋତ୍ସାହନ ଦେଉଛନ୍ତି। ମୋଦି ସରକାର ଲାଭାର୍ଥୀଙ୍କ ପାଇଁ ସିଧାସଳଖ ଟଙ୍କା ଦେବାର ବ୍ୟବସ୍ଥା କରିଛନ୍ତି କିନ୍ତୁ ରାଜ୍ୟ ସରକାର ଏହି ଅର୍ଥର ବାଟମାରଣା କରିବାର ବ୍ୟବସ୍ଥା କରିଛନ୍ତି ।କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ମା’ ସୁରେଶ୍ୱରୀ ଓ ମାହେଶ୍ୱରୀଙ୍କ ବରଦାନ ପ୍ରାପ୍ତ ଆଠମଲ୍ଲିକକୁ ଆସି ମୁଁ ନିଜକୁ ସୌଭାଗ୍ୟଶାଳୀ ମନେକରୁଛି। ଏହି ଅଞ୍ଚଳର ବୌଦ୍ଧିକ କ୍ଷମତା କଳା, ସଂସ୍କୃତି, ସାହିତ୍ୟ ଓ ଓଡ଼ିଶାର ପ୍ରଶାସନ ଜଗତକୁ ଋଦ୍ଧିମନ୍ତ କରିଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ବିଜେପି ଅନୁଗୁଳ ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ, ପ୍ରାକ୍ତନ ମନ୍ତ୍ରୀ ସଂଜୀବ ସାହୁ, ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି, ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ରବି ନାଏକ, ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ, ସୁକାନ୍ତ ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ଅଗସ୍ତି ବେହେରା, ଜିଲ୍ଲା ସାଧାରଣ ସମ୍ପାଦକ ସୁଦିପ ଗଡ଼ନାୟକ ଓ ଭବାନୀ ଜ୍ୟୋତିଷ ରାୟ, ଚୌଧୁରୀ ପ୍ରଧାନ, ବରିଷ୍ଠ ନେତା ଯଯାତି ପଟ୍ଟନାୟକ, ଦିଲ୍ଲୀପ ପ୍ରଧାନ, ଜିଲ୍ଲା ମିଡ଼ିଆ ସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକଙ୍କ ସମେତ ଆଠ ମଲ୍ଲିକର ସମସ୍ତ ମଣ୍ଡଳରୁ ଦଶ ହଜାରରୁ ଅଧିକ ଲୋକ ଯୋଗ ଦେଇଥିଲେ।