ଅନ୍ୟାନ୍ୟ

ହନ୍ତସନ୍ତ କରୁଛି ରେଳ ଫାଟକ, ବନ୍ତୋଲ ପଞ୍ଚାୟତ ପକ୍ଷରୁ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କୁ ସମାଧାନ ପାଇଁ ଦାବିପତ୍ର ପ୍ରଦାନ

By Angul TV Bureau

December 16, 2022

ତାଳଚେର: ତାଳଚେର ବ୍ଲକ ବନ୍ତୋଲ ପଞ୍ଚାୟତର ଏକ ପ୍ରତିନିଧି ମଣ୍ଡଳୀ ଗୁରୁବାର ଭୁବନେଶ୍ୱର ରେଳକୁଞ୍ଜସ୍ଥିତ ରେଳ ସଦନ ଠାରେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ରୂପନାରାୟଣ ସୁନକାରଙ୍କୁ ଭେଟି ପଞ୍ଚାୟତର ଉନ୍ନୟନମୂଳକ କାର୍ଯ୍ୟ ତଥା ରେଳବାଇ ଜନିତ ବିଭିନ୍ନ ମୌଳିକ ସମସ୍ୟାର ସମାଧାନ କରିବା ନିମନ୍ତେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି।

ପ୍ରକାଶ ଥାଉକି, ତାଳଚେର ବ୍ଲକ ବନ୍ତୋଲ ପଞ୍ଚାୟତରେ ପ୍ରାୟ ୩ ହଜାର ପରିବାର ବାସ କରୁଛନ୍ତି। ଲୋକମାନେ ନିକଟରେ ଥିବା ରେଳବାଇ ଫାଟକ ଯୋଗୁଁ ଅଧିକ ପ୍ରଭାବିତ ହେଉଛନ୍ତି। ଏନେଇ ରେଳବାଇ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆ ଯାଉନାହିଁ। ଥର୍ମାଲ ହାଟ ଠାରୁ ବନ୍ତୋଲ ଲେବୁଲ କ୍ରସିଂ ଦେଇ ତାଳଚେର ରେଳବାଇ ଷ୍ଟେସନ ଯାଏଁ ନୂତନ ରାସ୍ତା ନିର୍ମାଣ ସହ ଆଲୋକୀକରଣ ବ୍ୟବସ୍ଥା, ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସୁବିଧା ପ୍ରଦାନ ପାଇଁ ସ୍ଥାନୀୟ ଡିସପେନସରିକୁ ହସପିଟାଲରେ ରୂପାନ୍ତର, ବନ୍ତୋଲ ରେଳ ଫାଟକଠାରେ ଏକ ଅଣ୍ଡର ବ୍ରିଜ ନିର୍ମାଣ, ତାଳଚେର ରେଳବାଇ ଷ୍ଟେସନରେ ନିୟୋଜିତ ଏଜେନ୍ସି ଅଧୀନରେ କାର୍ଯ୍ୟ କରିଥିବା ବନ୍ତୋଲ ପଞ୍ଚାୟତର ଛଟେଇ ଶ୍ରମିକଙ୍କୁ ପୁନଃ ନିଯୁକ୍ତି ପ୍ରଦାନ ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଦାବି କରାଯାଇଛି।

ବନ୍ତୋଲ ସରପଞ୍ଚ ଜୟନ୍ତୀଲତା ପ୍ରଧାନ ଏବଂ ସମିତି ସଭ୍ୟା ଅମ୍ରିତା ପାଣିଙ୍କ ତରଫରୁ ପ୍ରଦତ୍ତ ଏହି ୪ ଦଫା ସମ୍ବଳିତ ଏକ ଦାବୀପତ୍ରକୁ ପୂର୍ବତନ ସରପଞ୍ଚ ଅବନୀକାନ୍ତ ଦେହୁରୀ, ପୂର୍ବତନ ସମିତିସଭ୍ୟ ଦୋଳ ଗୋବିନ୍ଦ ସାହୁ ଓ ବିଜେଡି ଯୁବ ନେତା ଶୁଭେନ୍ଦୁ ରଥ ପ୍ରମୁଖ ମହାପ୍ରବନ୍ଧକଙ୍କୁ ଭେଟି ପ୍ରଦାନ କରିଛନ୍ତି।