ଅନୁଗୁଳ: ଅନୁଗୁଳ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଅଁରପାଳ ବ୍ଲକର ତଳମୂଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଆଜି ନୂଆ ଗୃହ ଉଦଘାଟିତ ହୋଇଛି। ଅନୁଗୁଳର ଲୋକପ୍ରିୟ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ୧ କୋଟି ୬ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ନୂତନ ଗୃହକୁ ଲୋକାର୍ପିତ କରିଛନ୍ତି। ଏହି ଅବସରରେ ବିଧାୟକ ଶ୍ରୀ ପ୍ରଧାନ ନିଜ ଅଭିଭାଷଣରେ କହିଛନ୍ତି ଯେ, ଏହି ନୂତନ ଭିତ୍ତିଭୂମି ଦ୍ଵାରା ତଳମୂଳ ସମେତ ଆଖପାଖ ଅଞ୍ଚଳରୁ ଚିକିତ୍ସିତ ହେବାକୁ ଆସୁଥିବା ରୋଗୀମାନଙ୍କୁ ଆଗାମୀ ଦିନରେ ଅଧିକ ଉନ୍ନତ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇବାରେ ଏହା ବେଶ୍ ସହାୟକ ହେବ।
ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସିଡିଏମଓ ଡାକ୍ତର ମଦନ ମୋହନ ପ୍ରଧାନ, ୨୮ ନମ୍ଵର ଜୋନର ଜିଲ୍ଲା ପରିଷଦ ସଦସ୍ୟା ମୀରା ଗଡ଼ନାୟକ ଏବଂ ବଉଳିଗଡ଼ ଗ୍ରାମ ପଞ୍ଚାୟତର ସରପଞ୍ଚ ଅମରେନ୍ଦ୍ର ଗଡ଼ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଏଥିସହିତ ବିଜେପି ମହୀଧରପୁର ମଣ୍ଡଳ ସଭାପତି ରାଧାକାନ୍ତ ପଟ୍ଟନାୟକ, ତଳମୂଳ ବିଜେପି ସଭାପତି ଅଜିତ ସାହୁ, ତଳମୂଳ ଶାସନ ପଞ୍ଚାୟତ ସଭାପତି ସୁଧୀର ତ୍ରିପାଠୀ, ବରିଷ୍ଠ ନେତା ରାହସ ଦାଶ, ଅଜୁ ସାହୁ ଏବଂ ମହୀଧରପୁର ସମିତି ସଭ୍ୟ ସୁବାସ ଜେନା ମଧ୍ୟ ଯୋଗ ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ବିଜେପି ନେତା ବ୍ରଜୁ ସାହୁ, ସନ୍ତୋଷ ସାହୁ ଏବଂ ବିଜେପି ଯୁବମୋର୍ଚ୍ଚାର ସଦସ୍ୟ ନରେନ୍ଦ୍ର ସାହୁ, ସିପୁ ସାହୁ ଓ ରିଙ୍କୁ ସାହୁଙ୍କ ସମେତ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର, ସମସ୍ତ କର୍ମଚାରୀ ଓ ବହୁ ସଂଖ୍ୟାରେ ସ୍ଥାନୀୟ ଗ୍ରାମବାସୀ ଉପସ୍ଥିତ ଥିଲେ।