ମୁଖ୍ୟ ଖବର

ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ଆସିଲା ନୂଆ ଗାଇଡଲାଇନ

By Angul TV Bureau

October 19, 2021

ଅନୁଗୁଳ: ସ୍କୁଲ ଖୋଲିବାକୁ ନେଇ ତତ୍ପର ସରକାର। ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ଆସିଛି ନୂଆ ଗାଇଡଲାଇନ। ସବୁ ପ୍ରଧାନଶିକ୍ଷକ ଏହି ଗାଇଡଲାଇନ ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୨୧ରେ ଏକାଦଶ ଓ ୨୫ରେ ଅଷ୍ଟମ ଶ୍ରେଣୀ ଖୋଲିବ। ୨୫ ତାରିଖ ସକାଳ ୯ରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ପାଠପଢ଼ା ହେବ। ଦୀର୍ଘ ୧୮ ମାସ ପରେ ବିଦ୍ୟାଳୟ ଖୋଲୁଥିବାରୁ ବିଭାଗ ପକ୍ଷରୁ ନିର୍ଦ୍ଦିଷ୍ଟ ପଦକ୍ଷେପ ନିଆଯାଇଛି। ଅକ୍ଟୋବର ୧୭ରୁ ୨୪ ତାରିଖ ମଧ୍ୟରେ ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା କମିଟିର ବୈଠକ ବସିବ। ବୈଠକରେ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଠପଢ଼ା ସମ୍ପର୍କରେ ଆଲୋଚନା ହେବ। ବିଦ୍ୟାଳୟ ଖୋଲିବା ପୂର୍ବଦିନ ପ୍ରଧାନଶିକ୍ଷକ ପରିଚ୍ଛନ୍ନତା ନେଇ ଡିଇଓଙ୍କୁ ତଥ୍ୟ ଦେବେ। ୨୫ ଓ ୨୬ ତାରିଖରେ ପାଠପଢ଼ା ହେବନାହିଁ। ପିଲାଙ୍କ ମଧ୍ୟରେ ଆଲୋଚନା, ତର୍କ ପ୍ରତିଯୋଗିତା ଭଳି ବିଭିନ୍ନ ଏକ୍ସଟ୍ରା କରିକୁଲାର ଆକ୍ଟିଭିଟିଜ୍ କରାଯିବ। ୨୭ରେ ଓଡିଆ, ୨୮ରେ ଗଣିତ ଓ ୨୯ରେ ଇଂରାଜୀ ବିଷୟରେ ଘଣ୍ଟାକର ପରୀକ୍ଷା ହେବ। ପ୍ରଶ୍ନପତ୍ର ଓପେପା ଓ ଏସସିଆରଟି ଯୋଗାଇବ। ଏହି ଆକଳନର ଫଳାଫଳ ପରେ ବିଶ୍ଳେଷଣ କରାଯିବ। ପ୍ରତି ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତିକାତ୍ମକ ଶିକ୍ଷା ପ୍ରଧାନଶିକ୍ଷକଙ୍କ ଦ୍ବାରା କରାଯିବ। ପାଠପଢ଼ାକୁ ସହଜ କରିବାକୁ ସପ୍ତମ ଶ୍ରେଣୀର ସହଜ ପାଠ ପଢ଼ାଯିବ। ଅଷ୍ଟମ ପିଲାଙ୍କ ଅଭିଭାବକଙ୍କ ସହ ବୈଠକ କରି ପିଲାଙ୍କୁ ଆଣିବା ବ୍ୟବସ୍ଥା ହେବ। ସ୍କୁଲ ବନ୍ଦ ଯୋଗୁ ଲିଖିତ କାର୍ଯ୍ୟ ହୋଇନାହିଁ। ଏଥିସହ ଶିକ୍ଷକମାନେ ପ୍ରତିଦିନ ଲେସନ ନୋଟ୍ ପ୍ରସ୍ତୁତ କରିବେ। ପ୍ରତିଦିନ ଶିକ୍ଷକଙ୍କ ସହ ପାଠପଢ଼ା ସମ୍ପର୍କିତ ୩୦ ମିନିଟର ବୈଠକ କରିବେ ପ୍ରଧାନଶିକ୍ଷକ। ସିଆରସିସି, ଏବିଇଓ, ଏଡିଇଓ, ଡିଇଓ ପ୍ରତିଦିନ ସ୍କୁଲରେ ତଦାରଖ ପାଇଁ ଯିବେ। ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କଠାରେ ସାମାନ୍ୟ ଲକ୍ଷଣ ଦେଖାଦେଲେ ବିଦ୍ୟାଳୟରେ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ଗାଇଡଲାଇନ୍ରେ ନିର୍ଦ୍ଦେଶ ଦିଆଯାଇଛି।