ମୁଖ୍ୟ ଖବର

କେନ୍ଦ୍ରୀୟ ଗଣେଶ ପୂଜା କମିଟି ପାଇଁ ନୂତନ କର୍ମକର୍ତ୍ତା ନିର୍ବାଚିତ, ସଭାପତି ଭାବେ ଉପଜିଲ୍ଲାପାଳ ମନୋନୀତ

By Angul TV Bureau

August 20, 2026

ଅନୁଗୋଳ: ତାଳଚେରର ପ୍ରସିଦ୍ଧ ଗଣେଶ ପୂଜାର ସୁପରିଚାଳନା ପାଇଁ କେନ୍ଦ୍ରୀୟ ଗଣେଶ ପୂଜା କମିଟିର ନୂତନ କର୍ମକର୍ତ୍ତା ନିର୍ବାଚନ ଆଜି ପୂର୍ବାହ୍ନରେ ସମ୍ପନ୍ନ ହୋଇଛି। ଦେଉଳବେଡ଼ା କୋଲିୟରୀ ସ୍ଥିତ ମଙ୍ଗଳମ୍ କ୍ଲବ୍ ହାଉସ୍ ଠାରେ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

ତାଳଚେର ଉପଜିଲ୍ଲାପାଳ ଆଶିଷ ରଞ୍ଜନ ସାହୁ କମିଟିର ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ତାଳଚେର ଉପଖଣ୍ଡ ପୁଲିସ ଅଧିକାରୀ କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ୱ ନେଇଛନ୍ତି।

ସେହିପରି ଉପସଭାପତି ଭାବେ କେଶବ ଭୂତିଆ ଓ ପ୍ରଭାତ କୁମାର ପଟ୍ଟନାୟକ, ସାଧାରଣ ସମ୍ପାଦକ ଜିତେନ୍ଦ୍ର କୁମାର ଦାସ, କୋଷାଧ୍ୟକ୍ଷ ପ୍ରିୟଦର୍ଶି ରିଶିକେଶ ସାହୁ, ଅଡିଟର ଦୟାସାଗର ମିଶ୍ର, ଯୁଗ୍ମ ସମ୍ପାଦକ ନାରାୟଣ ସେଠୀ, ବିଶ୍ୱରଞ୍ଜନ ତୁଙ୍ଗ ସାମନ୍ତ, ମନୋରଞ୍ଜନ ଦାସ, ମନୋରଞ୍ଜନ ଭୂତିଆ ନିର୍ବାଚିତ ହୋଇଛନ୍ତି।

ଉପଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଡେପୁଟି କଲେକ୍ଟର ଧର୍ମେନ୍ଦ୍ର ଶତପଥୀ ଓ ନିର୍ବାଚନ ଅଧିକାରୀ ରଶ୍ମିରଞ୍ଜନ ମିଶ୍ର ସମ୍ପୂର୍ଣ୍ଣ ନିର୍ବାଚନ ପ୍ରକ୍ରିୟା ପରିଚାଳନା କରିଥିଲେ। ନିର୍ବାଚନ ସମୟରେ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀମାନେ ସହଯୋଗ କରିଥିଲେ। ଆଇନ୍ ଶୃଙ୍ଖଳା ରକ୍ଷା ପାଇଁ ପୁଲିସ ଫୋର୍ସ ମୁତୟନ ହୋଇଥିଲା। ତାଳଚେର ଅଞ୍ଚଳର ବିଭିନ୍ନ ଗଣେଶ ପୂଜା କମିଟିର ସଭାପତି ଓ ସମ୍ପାଦକମାନେ ଉପସ୍ଥିତ ରହି ନୂତନ କମିଟିକୁ ଶୁଭେଚ୍ଛା ଜଣାଇଥିଲେ। ଆସନ୍ତା ଗଣେଶ ପୂଜାକୁ ଶାନ୍ତିପୂର୍ଣ୍ଣ ଓ ସୁରୁଖୁରୁରେ ପାଳନ କରିବା ପାଇଁ ନୂତନ କମିଟି ଶୀଘ୍ର ବୈଠକ ବସି କାର୍ଯ୍ୟଯୋଜନା ପ୍ରସ୍ତୁତ କରିବ ବୋଲି ଜଣାପଡ଼ିଛି।