ମୁଖ୍ୟ ଖବର

ଜିଲ୍ଲା ଜଜ୍‌ଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ଆଠମଲ୍ଲିକ ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତା

By Angul TV Bureau

April 05, 2026

ଅନୁଗୁଳ: ୨୦୨୬-୨୭ ବର୍ଷ ପାଇଁ ଆଠମଲ୍ଲିକ ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ଶେଷ ହେବା ପରେ ନବନିର୍ବାଚିତ ପ୍ରତିନିଧି ଦଳ ଅନୁଗୁଳ ଜିଲ୍ଲା ଓ ଦୌରା ଜଜ୍ ଦାମୋଦର ରଥଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ସଂଘର ସଭାପତି ସୁଶାନ୍ତ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ସାକ୍ଷାତକାର ସମୟରେ ଜିଲ୍ଲା ଜଜ୍ ସମସ୍ତ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ସଫଳ କାର୍ଯ୍ୟକାଳ ପାଇଁ ଶୁଭେଚ୍ଛା ପ୍ରଦାନ କରିଥିଲେ।ଏହି ଆଲୋଚନା ସମୟରେ ଓକିଲ ସଂଘ ପକ୍ଷରୁ କୋର୍ଟ ପରିସରର ଭିତ୍ତିଭୂମି ଉନ୍ନୟନ ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ଦାବି ଉପସ୍ଥାପନ କରାଯାଇଥିଲା।

ବିଶେଷ କରି କୋର୍ଟ ବିଲଡିଂର ରଙ୍ଗ କାର୍ଯ୍ୟ କରିବା, ଗାଈଗୋରୁଙ୍କ ଅବାଧ ପ୍ରବେଶ ରୋକିବା ପାଇଁ କାଓ କ୍ୟାଚର ନିର୍ମାଣ, ଆଠମଲ୍ଲିକ ସିଭିଲ କୋର୍ଟ ପାଇଁ ଏକ ଆକର୍ଷଣୀୟ ମୁଖ୍ୟ ଫାଟକ ନିର୍ମାଣ ଏବଂ ପାନୀୟ ଜଳ ପାଇଁ ୧୨୦ ଲିଟର ବିଶିଷ୍ଟ ୱାଟର ଫିଲଟର ସ୍ଥାପନ ନେଇ ଦାବି ହୋଇଥିଲା। ଜିଲ୍ଲା ଜଜ୍‌ଙ୍କ ତ୍ୱରିତ ପ୍ରୟାସ ଫଳରେ ଇତିମଧ୍ୟରେ ୱାଟର ଫିଲଟର ସ୍ଥାପିତ ହୋଇସାରିଥିବା ବେଳେ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଥିବାରୁ ସଭାପତି ଶ୍ରୀ ମହାପାତ୍ର ଗଭୀର କୃତଜ୍ଞତା ପ୍ରକାଶ କରିଥିଲେ।

ଏଥିସହ ସିଭିଲ କୋର୍ଟ ଛାତ ଉପରେ ଥିବା ଅଚଳ ଲାଇଟ୍ ବୋର୍ଡର ନବୀକରଣ ପାଇଁ ମଧ୍ୟ ଅନୁରୋଧ କରାଯାଇଥିଲା, ଯାହାକୁ ଖୁବଶୀଘ୍ର ନିର୍ମାଣ କରାଯିବ ବୋଲି ଶ୍ରୀ ରଥ ପ୍ରତିଶ୍ରୁତି ଦେଇଥିଲେ। ଏହି ସାକ୍ଷାତ ସମୟରେ ଓକିଲ ସଂଘର ସମ୍ପାଦକ ଜିତେନ୍ଦ୍ର କୁମାର ମୁଖି, ଉପସଭାପତି ଉଗ୍ରସେନ ସେଠି ଏବଂ କୋଷାଧ୍ୟକ୍ଷ ସୁନୀଲ କୁମାର ଶାସନି ପ୍ରମୁଖ ଉପସ୍ଥିତ ଥିଲେ।