ଅନୁଗୁଳ: ବାହାଘରର ତିନି ଦିନରେ ଘରୁ ଲକ୍ଷାଧିକ ଟଙ୍କା ଏବଂ ସୁନା ଗହଣା ନେଇ ଫେରାର ହେଲା ନବବଧୂ। ରାତିରେ ସମସ୍ତେ ଶୋଇଥିବା ବେଳେ ପାଇଖାନାର ସ୍କାଏଲାଇଟ ପଟେ ବୋହୂ ଛୁ’ ମାରିଛି। ଏଭଳି ଘଟଣା ସାମ୍ନାକୁ ଆସିଛି ସ୍ଥାନୀୟ କେନ୍ଦୁପଲ୍ଲୀ ସାହିରୁ। ଏନେଇ ଅନୁଗୁଳ ଜିଲ୍ଲା ବଅଁରପାଳ ଥାନାରେ ଅଭିଯୋଗ କରିଛନ୍ତି ଶ୍ୱଶୁର ଘର ଲୋକ।
ଅଭିଯୋଗ ଅନୁସାରେ କେନ୍ଦୁପଲ୍ଲୀ ସାହିର କିଶନ ଭୋଇଙ୍କ ପୁଅକୁ ଗତ ୭ ତାରିଖରେ ହଣ୍ଡପା ଥାନା ଅନ୍ତର୍ଗତ ଡାବରାପାଲି ଗ୍ରାମର ଶମ୍ଭୁ ଭୋଇଙ୍କ ଝିଅ ମନ୍ଦାକିନୀ ଭୋଇକୁ ବିବାହ କରିଥିଲେ। କିନ୍ତୁ ୯ ତାରିଖ ରାତିରେ ମନ୍ଦାକିନୀ ଭୋଇ ରାତିରେ ସ୍କାଏଲାଇଟ ଦେଇ ଫେରାର ହୋଇଛନ୍ତି। ସେ ଘରୁ ୧,୫୫,୦୦୦ ଟଙ୍କା ସହ ୧୦ ଭରିର ସୁନା ହାର, ମଙ୍ଗଳସୂତ୍ର, ଚେନ, ଚୁଡ଼ି, କାନ ଫୁଲ ଓ ହାତ ମୁଦି ନେଇ ପଳାଇଛନ୍ତି। ଏନେଇ କିଶନ ଭୋଇ ଆଜି ବଅଁରପାଳ ଥାନାରେ ଅଭିଯୋଗ କରିଛନ୍ତି। ମନ୍ଦାକିନୀ ଯିବା ପରେ ସ୍ବାମୀଙ୍କ ମୋବାଇଲକୁ ମୁଁ ଘରୁ ବାହାରି ଆସିଥିବା ମେସେଜ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା କହିଛି।