ମୁଖ୍ୟ ଖବର

ନାଲକୋକୁ ଏନ୍‌ଜିଟି ଛାଟ: ପ୍ରଦୂଷଣ ଆଇନ ଉଲ୍ଲଂଘନ ଅଭିଯୋଗ

By Biswaranjan Pattnaik

December 22, 2025

ଅନୁଗୁଳ: ନିଜକୁ ନବରତ୍ନ ବୋଲାଉଥିବା ନାଲକୋକୁ ନିକଟରେ ଏନ୍‌ଜିଟିର ଜୋରଦାର ଛାଟ ପଡ଼ିଛି। ପ୍ରଦୂଷଣ ଆଇନ ଉଲ୍ଲଂଘନ ଅଭିଯୋଗରେ ଏଥିନେଇ ରାଜ୍ୟ ସରକାର, ଜିଲ୍ଲାପାଳ ଏବଂ ନାଲକୋକୁ ନୋଟିସ ଦେଇଛି ଏନ୍‌ଜି ଟି।ଜାତୀୟ ଗଣମାଧ୍ୟମ ଅନୁସାରେ ଗୋଳାବନ୍ଧ ଗାଁର ପ୍ରଦୀପ ବିଶ୍ଵାଳ ଏବଂ ଅନ୍ୟ ଦୁଇ ସାଥୀ ଓଡ଼ିଶା ପ୍ରଦୂଷଣ ନିୟନ୍ତ୍ରଣ ସଂଘ କେଉଁ ପରିସ୍ଥିତିରେ ନାଲକୋକୁ କୋଇଲା ପରିବହନ ପାଇଁ ରେଲୱେ ସାଇଡିଂ କରିବାକୁ ଅନୁମତି ଦେଲା ସେଥିନେଇ ସେମାନେ ଏନ୍‌ଜିଟି ନିକଟରେ ଅଭିଯୋଗ କରିଛନ୍ତି।

ବଅଁରପାଳ ତହସିଲ ଅନ୍ତର୍ଗତ ଗୋଳାବନ୍ଧ ମୌଜା ସାନକେର୍ଜାଙ୍ଗ ଗାଁର ୧୬.୨୩ ଏକର ଜାଗାରେ ଏହି ସାଇଡିଂ କରାଯାଇଛି ଯେଉଁଠାରେ ଦୈନିକ ୧୫ ହଜାର ମେଟ୍ରିକ୍ ଟନ୍ କୋଇଲା ଚାଲାଣ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହା ସ୍ଥାପିତ ହେଲେ ସଂପୃକ୍ତ ଗାଁ ଓ ଆଖପାଖ ଅଞ୍ଚଳ ଭୀଷଣ ପ୍ରଦୂଷିତ ହେବାର ସମ୍ଭାବନା ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମବାସୀଙ୍କ ପକ୍ଷରୁ ଶଙ୍କର ପ୍ରସାଦ ପାଣି ଓ ଆଶୁତୋଷ ପାଢ଼ୀ ଏନ୍‌ଜିଟିର ଜଷ୍ଟିସ ଅରୁଣ କୁମାର ତ୍ୟାଗୀ ଓ ଈଶ୍ୱର ସିଂହଙ୍କ ବେଞ୍ଚରେ ଆବେଦନ କରି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିଜ ତିଆରି ଆଇନକୁ ଉଲ୍ଲଂଘନ କରି କିଭଳି ନାଲକୋକୁ ଅନୁମତି ଦେଇଛି ତାହା ଅଭିଯୋଗ କରିଛନ୍ତି।

ବେଞ୍ଚ ଅଭିଯୋଗକୁ ଗ୍ରହଣ କରି ଫେବୃଆରୀ ୨ ତାରିଖକୁ ପରବର୍ତ୍ତୀ ଶୁଣାଣି ପାଇଁ ସଂରକ୍ଷିତ ରଖିଛନ୍ତି। ପ୍ରସ୍ତାବିତ କୋଲ ସାଇଡିଂ ନିକଟରେ ମନ୍ଦିର,ସ୍କୁଲ,ଘନ ଜନ ବସତି,ଜମି ଆଦି ଥିଲେ ମଧ୍ୟ ବେଆଇନ ଭାବେ ନାଲକୋକୁ ବ୍ୟବହାର ପାଇଁ ଅନୁମତି ଦେବା ପଛରେ କି ସ୍ବାର୍ଥ ରହିଛି ବୋଲି ଅଭିଯୋଗକାରୀ ପ୍ରଶ୍ନ କରିଛନ୍ତି।ଖାଲି ସେତିକି ନୁହେଁ କୋଲ ସାଇଡିଂ ଦ୍ଵାରା ଟ୍ରାଫିକ ଜାମ ହେବା ସହ ପ୍ରଦୂଷଣ ହେତୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିବ ବୋଲି ଅଭିଯୋଗ ହେଇଚି।ଅଭିଯୋଗକାରୀ ଗ୍ରାମବାସୀ ପ୍ରସ୍ତାବିତ ପ୍ରକଳ୍ପକୁ ସମ୍ପୂର୍ଣ୍ଣ ବନ୍ଦ୍ କରିବାକୁ ଦାବି କରିଛନ୍ତି ।