ଅନୁଗୋଳ: ଦୀର୍ଘଦିନର ପ୍ରତୀକ୍ଷାର ଅନ୍ତ ଘଟାଇ ଅନୁଗୋଳ ଜିଲ୍ଲା ପାଳଲହଡ଼ା ବ୍ଲକର ଖମାର ବଜାର ବାଇପାସ୍ ରାସ୍ତା ନିର୍ମାଣ ପାଇଁ ଜାତୀୟ ରାଜପଥ ପ୍ରାଧିକରଣ (NHAI) ପକ୍ଷରୁ ସ୍ୱୀକୃତି ମିଳିଛି। ଗୁରୁବାର ଅନୁଗୋଳଠାରେ ଅନୁଷ୍ଠିତ ‘ଦିଶା’ ବୈଠକରେ ଏହି ସୂଚନା ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଆନନ୍ଦର ଲହରୀ ଖେଳିଯାଇଛି।
ଏହି ବାଇପାସ୍ ନିର୍ମାଣ ହେଲେ ଖମାର ବଜାର ମଧ୍ୟଦେଇ ଯାଉଥିବା ଭାରୀ ଯାନବାହନ ଚଳାଚଳ ହ୍ରାସ ପାଇବା ସହ ଦୀର୍ଘଦିନର ଟ୍ରାଫିକ୍ ସମସ୍ୟା ଦୂର ହେବ ଏବଂ ଯାତାୟାତ ସୁଗମ ହେବ। ଏହି ଦାବିକୁ ବାସ୍ତବ ରୂପ ଦେବା ପାଇଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଏବଂ ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି ଦିଲ୍ଲୀସ୍ଥିତ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟି ଆଲୋଚନା କରିଥିଲେ। ସେହିପରି ଜାତୀୟ ରାଜପଥ-୧୪୯ର ପିତିରିଠାରୁ ପାଳଲହଡ଼ା ପର୍ଯ୍ୟନ୍ତ ପ୍ରାୟ ୬୮ କିଲୋମିଟର ରାସ୍ତାକୁ ୪-ଲେନ୍ରେ ପରିଣତ କରିବା କାର୍ଯ୍ୟ ମଧ୍ୟ ଆଗକୁ ବଢ଼ୁଛି। ଏହି ଦୁଇ ପ୍ରକଳ୍ପ ଅଞ୍ଚଳର ଆର୍ଥିକ ବିକାଶ ଓ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବ ବୋଲି ସ୍ଥାନୀୟ ଲୋକେ ଆଶାପ୍ରକାଶ କରିବା ସହ କୃତଜ୍ଞତା ଜଣାଇଛନ୍ତି।