ମୁଖ୍ୟ ଖବର

ଅନୁଗୁଳରେ “ନିକ୍ଷୟ ମିତ୍ର” କାର୍ଯ୍ୟକ୍ରମ ଆରମ୍ଭ, ଯକ୍ଷ୍ମା ନିରାକରଣ ସଚେତନ ରଥକୁ ପତାକା ଦେଖାଇ ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ

By Angul TV Bureau

February 24, 2025

ଅନୁଗୁଳ: ଜିଲ୍ଲାସ୍ତରୀୟ ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ  ଭାରତ ଅଭିଯାନ ଅନ୍ତର୍ଗତ ଅନୁଗୁଳରେ “ନିକ୍ଷୟ ମିତ୍ର” କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଜିଲ୍ଲାପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ।

ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ କହିଥିଲେ, ପୁଷ୍ଟିକର ଆହାର ହିଁ ଯକ୍ଷ୍ମା ବିରୁଦ୍ଧରେ ସବୁଠାରୁ ମଜଭୁତ୍ ଅସ୍ତ୍ର। ଏହି ଅଭିଯାନର ସଫଳ କାର୍ଯ୍ୟକାରିତା, ୨୦୩୬ ରେ ବିକଶିତ ଓଡ଼ିଶା ଓ ୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟରେ ସହାୟକ ହେବ ବୋଲି ମଧ୍ୟ ସେ କହିଥିଲେ। ଏହି ଅବସରରେ ଯକ୍ଷ୍ମା ଉତ୍ପାଟନରେ ଅବଦାନ କରିଥିବା ବିଭିନ୍ନ ବେସରକାରୀ ଅନୁଷ୍ଠାନ, ବ୍ୟକ୍ତି ବିଶେଷ, ପଞ୍ଚାୟତ ପ୍ରତିନିଧିଙ୍କୁ ସମ୍ମାନିତ କରାଯାଇଥିଲା। ପରେ ଯକ୍ଷ୍ମା ରୋଗୀଙ୍କୁ ଖାଦ୍ୟ ପ୍ୟାକେଟ ବଣ୍ଟନ ଓ ଯକ୍ଷ୍ମା ରୋଗକୁ ମାତ୍ ଦେଇ ନିରୋଗ ହେଇଥିବା ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା। ମୁଖ୍ୟ ଅତିଥି ଯକ୍ଷ୍ମା ନିରାକରଣ ସଚେତନ ରଥକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଆବ୍ଦାଲ ଏମ ଆଖତାର, ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ, ସିଡିଏମଓ ଶିବାନନ୍ଦ ମହାନ୍ତି, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟରୁ ଭବାନୀ ଶଙ୍କର ଖୁସ୍ଵାଳଙ୍କ ସମେତ ଜିନ୍ଦଲ, ନାଲକୋ ଓ ଏମସିଏଲର ଅଧିକାରୀମାନେ ଉପସ୍ଥିତ ଥିଲେ।