ଘଟଣା ଓ ଦୁର୍ଘଟଣା

ନିର୍ଧୂମ ଛେଚା ଖାଇଲା ବସ୍ କଣ୍ଡକ୍ଟର

By Angul TV Bureau

December 04, 2021

ଅନୁଗୁଳ : ଯୁବତୀଙ୍କୁ ଦୁର୍ବ୍ଯବହାର କରିବା ଜଣେ ବସ୍ କଣ୍ଡକ୍ଟରଙ୍କୁ ମହଙ୍ଗା ପଡ଼ିଛି। ଯୁବତୀଙ୍କ ପରିବାର ଲୋକ ତାଙ୍କୁ ନିର୍ଧୂମ ଛେଚିଛନ୍ତି। ଅନୁଗୁଳ ବସ୍‌ଷ୍ଟାଣ୍ଡ୍‌ରେ ଶୁକ୍ରବାର ପୂର୍ବାହ୍ନରେ ଘଟିଥିବା ଏ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସୂଚନା ମୁତାବକ, ଦୁବ୍ୟବହାର କରି ଉତ୍ତମମଧ୍ୟମ ଖାଇଥିବା ବସ୍‌ କଣ୍ଡକ୍ଟର ଜଣକ ଅନେକ ସମୟରେ ନିଶାସକ୍ତ ହୋଇ ଗଣ୍ଡଗୋଳ କରୁଥିବାରୁ ଏକାଧିକ ଥର ଥାନାକୁ ଯାଇଛନ୍ତି। ବସ୍‌ ଭୁବନେଶ୍ୱରରୁ ଆଠଗଡ଼ ଦେଇ ଅନୁଗୁଳ ଯା’ଆସ କରେ। ଉକ୍ତ ବସ୍‌ରେ ଶୁକ୍ରବାର ଅନୁଗୁଳ ସହରର ଜଣେ ଯୁବତୀ ଫେରୁଥିଲେ, ସେ କଲେଜ ଛକରେ ଓହ୍ଲାଇଥାନ୍ତେ। ଯୁବତୀଙ୍କୁ କଣ୍ଡକ୍ଟର ଜଣକ ଦୁର୍ବବହାର ପ୍ରଦର୍ଶନ କରିବା ସହ ଛେଳିଆପଡ଼ା ଛକରେ ଓହ୍ଲାଇ ଦେଇଥିଲେ। ଏ ନେଇ ଯୁବତୀଙ୍କ ସମ୍ପର୍କୀୟ ବସକୁ ପିଛା କରି ଅନୁଗୁଳ ବସଷ୍ଟାଣ୍ଡ୍‌ରେ କଣ୍ଡକ୍ଟରକୁ କାବୁ କରିଥିଲେ। କେହି କିଛି ବୁଝିବା ଆଗରୁ ନିର୍ଧୂମ ଛେଚିଥିଲେ। ବସ୍ କଣ୍ଡକ୍ଟର ଭୁଲ ସ୍ୱୀକାର କରି କ୍ଷମା ମାଗିବା ସତ୍ତ୍ଵେ ମାଡ଼ କମିନଥିଲା। ସ୍ଥାନୀୟ ଲୋକ ଏନେଇ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ ଆସୁଥିବା ଜାଣି ସମ୍ପୃକ୍ତ କଣ୍ଡକ୍ଟର ସେମାନଙ୍କୁ ଚକ୍‌ମା ଦେଇ ଚମ୍ପଟ ମାରିଥିଲେ। ପିସିଆର୍ ଭ୍ୟାନ୍ ଘଟଣା ସ୍ଥଳରେ ପହଞ୍ଚି ଖୋଳତାଡ କରିଥିଲେ ହେଁ କଣ୍ଡକ୍ଟରକୁ ପାଇନଥିଲା। ସେପଟେ ଥାନାରେ ଏନେଇ କୌଣସି ଅଭିଯୋଗ ହୋଇନଥିବା ଜଣାପଡ଼ିଛି।