ସ୍ୱତନ୍ତ୍ର

ହେଲ୍‌ଥ କରିଡର ନିଶାଖୋରଙ୍କ ଆଡ଼ା ପାଲଟିଛି

By Angul TV Bureau

February 11, 2022

ଅନୁଗୁଳ: ଅନୁଗୁଳ ସହରରେ ନବ ନିର୍ମିତ ହେଲ୍‌ଥ କରିଡର ଏବେ ନିଶାଖୋରଙ୍କ ଆଡ଼ା ପାଲଟିଛି। ଘାଷ ଗାଲିଚା ସାଙ୍ଗକୁ ବସିବା ପାଇଁ ନିର୍ମାଣ ହୋଇଥିବା ଚୌକି ଓ ଗଛ ଉହାଡ଼ରେ ସେମାନଙ୍କ ଆଡ଼ା ଜମାଇବାକୁ ଏକ ପ୍ରକୃଷ୍ଟ ସ୍ଥାନ ପାଲଟିଛି। ସେଠାରେ ଅସାମାଜିକମାନେ ଗଞ୍ଜେଇ, ମଦ ଓ ଅନ୍ୟାନ୍ୟ ସାମଗ୍ରୀ ସେବନ କରୁଛନ୍ତି। ରାସ୍ତାକଡ଼ରେ ଖୋଲା ଖୋଲିଭାବେ ଏହି ଅସାମାଜିକମାନେ ସେମାନଙ୍କ ଆଡ଼ା ଜମାଉଥିବା ବେଳେ ସେମାନଙ୍କ ଉପରେ ଲଗାମ ଲଗାଇବାକୁ କେହି ନାହାଁନ୍ତି। ପୁଲିସର ସେଠାରେ ନଜର ନାହିଁ। ଗଞ୍ଜୋଡ଼ ମାନେ ସେଠାରେ ଗଞ୍ଜେଇ ଦଳି ମଞ୍ଜି ବାହାରେ ପକାଉଥିବାରୁ ଏବେ କରିଡରର ବିଭିନ୍ନ ସ୍ଥାନରେ ଗଞ୍ଜେଇଗଛ ଉଠି ବଡ଼ ହେବାକୁ ଲାଗିଲାଣି। ଏହି ଗଞ୍ଜେଇ ଗଞ୍ଜୋଡ଼ଙ୍କ ଉପସ୍ଥିତିକୁ ପ୍ରମାଣିତ କରୁଛି। ସେହି ହେଲ୍‌ଥ କରିଡରରେ ମହିଳା, ଶିଶୁ, ବୟସ୍କ ପ୍ରାତଃ ଓ ସାନ୍ଧ୍ୟ ଭ୍ରମଣ କରୁଥିବା ବେଳେ ନିଶାଖୋରଙ୍କ ଉପସ୍ଥିତି ସେଠାରେ ଅପ୍ରିତିକର ପରିସ୍ଥିତି ଶ୍ରୁଷ୍ଟି କରୁଛି। ତେଣୁ ନିଶାଖୋରଙ୍କୁ ସେଠାରୁ ବିତାଡ଼ିତକରି ପୁଲିସ ଚଢ଼ାଉ କରିବାକୁ ସାଧାରଣରେ ଦାବି ହେଉଛି।