ମୁଖ୍ୟ ଖବର

ଶିଶୁକନ୍ୟାର ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

By Angul TV Bureau

March 16, 2025

ଅନୁଗୁଳ: ଶିଶୁକନ୍ୟାର ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ ଏପରି ଅଭାବନୀୟ ଘଟଣା ଘଟିଛି। କେହି ଦୁର୍ବୃତ୍ତ ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ଏହି ଶିଶୁ କନ୍ୟା ଜଣକ ହଜି ଯାଇଥିବା ନେଇ ଶୁକ୍ରବାର ଥାନାରେ ଅଭିଯୋଗ ହୋଇଥିଲା। ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। କଙ୍କରେଇ ପିଢଖମଣର ନିକଟ ଏକ ମହୁଲ ଗଛ ମୂଳରୁ ଶିଶୁ କନ୍ୟାର ରକ୍ତାକ୍ତ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା। ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଜବତ କରି ଛାନଭିନ୍ ଚଳାଇଛି।

ସୂଚନା ଅନୁସାରେ ଗୁରୁବାର ଦିନ କଙ୍କରେଇ ପିଢଖମଣ ଗାଁରୁ ନିଖୋଜ ହୋଇଯାଇଥିଲେ ନାବାଳିକା। ଏନେଇ ପରିବାର ଲୋକ ବହୁ ଖୋଜାଖୋଜି ପରେ ଝିଅର କୌଣସି ସନ୍ଧାନ ନମିଳିବାରୁ ନିଶା ଶିଳ୍ପାଞ୍ଚଳ ଥାନାରେ ପରିବାରଲୋକେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଶନିବାର ସକାଳେ ଶିଶୁ କନ୍ୟାର ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହ ଜବତ କରି ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାର ତଦନ୍ତ କରୁଛି। ଗାଁର ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରା ଉଚରା ମଧ୍ୟ କରୁଛି। କଟକରୁ ଶିଶୁ ବିଶେଷଜ୍ଞ ଟିମ ଆସିବା ପରେ ସ୍ପଷ୍ଠ ହେବ ଏହା ଦୁଷ୍କର୍ମ ଜନିତ ହତ୍ୟା ନା ଅନ୍ୟ କିଛି।