ମୁଖ୍ୟ ଖବର

୧୮୩ ୱାର୍ଡ଼ରେ ପ୍ରାର୍ଥୀ ଶୂନ୍ୟ

By Angul TV Bureau

January 28, 2022

ଅନୁଗୁଳ: ଚଳିତ ତ୍ରିସ୍ତରୀୟ ନିର୍ବାଚନ ନିମନ୍ତେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ତେବେ ଏଥିରେ ଶତାଧିକ ୱାର୍ଡ଼ରେ ଜଣେ ହେଲେ ବି ପ୍ରାର୍ଥୀ ନଥିବାରୁ ଏହିସବୁ ୱାର୍ଡ଼ରେ ନାମାଙ୍କନପତ୍ର ଦାଖଲ ନିମନ୍ତେ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିଲାଗି ଗୁରୁବାର ପଞ୍ଚାୟତ ଓ ୱାର୍ଡ଼ରେ ନୋଟିସ ଜାରି ହୋଇଥିବା ବେଳେ ଆସନ୍ତା ୨୯ ରୁ ୩୧ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ଦାଖଲ କରାଯିବା। ପ୍ରକାଶ ଯେ, ଚଳିତ ନିର୍ବାଚନରେ ଏକ ମାତ୍ର ସରପଞ୍ଚ ପ୍ରାର୍ଥୀ ଭାବେ କଣିହାଁ ବ୍ଲକ୍ ଡେରେଙ୍ଗ ପଞ୍ଚାୟତର ସଂଯୁକ୍ତା ବେହେରା ଅପ୍ରତିଦ୍ବନ୍ଦୀ ଅଛନ୍ତି। ସେହିପରି ଜିଲ୍ଲାରୁ ୪ ଜଣ ସମିତିସଭ୍ୟ ଏବଂ ୯୫୫ ଜଣ ୱାର୍ଡ଼ସଭ୍ୟ ଅପ୍ରତିଦ୍ବନ୍ଦୀ ରହିଛନ୍ତି। ସେହିପରି ଜିଲ୍ଲାର ୮ଟି ଯାକ ବ୍ଳକ୍‌ରୁ ମୋଟ୍ ୧୮୩ଟି ୱାର୍ଡ଼ରେ ଜଣେ ହେଲେ ବି ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିନାହାନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଛେଣ୍ଡିପଦା ବ୍ଳକ୍‌ର ୧୭ଟି ୱାର୍ଡ଼, ତାଳଚେରର ୩୯, କିଶୋରନଗରର ୧୬, ଆଠମଲ୍ଲିକର ୨୧, ଅନୁଗୁଳର ୧୫, ବଅଁରପାଳର ୧୯, ପାଲଳହଡ଼ାର ୩୪ ଓ କଣିହାଁ ବ୍ଳକ୍‌ର ୨୨ ୱାର୍ଡ଼ରେ ଜଣେ ହେଲେ ବି ପ୍ରାର୍ଥୀ ନାହାନ୍ତି । ସେମାନଙ୍କ ନିମନ୍ତେ ସାନି ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ୪ ତାରିଖ ଅପରାହ୍ନରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ।