ମୁଖ୍ୟ ଖବର

ଅନୁଗୁଳ ଡାକ୍ତରଖାନା ଲାଞ୍ଚ ନ ଦେଲେ ଅସ୍ତ୍ରୋପଚାର ବନ୍ଦ!

By Biswaranjan Pattnaik

November 05, 2024

ଅନୁଗୁଳ: ଲାଞ୍ଚ ଓ ଚିକିତ୍ସାରେ ଅବହେଳା ନେଇ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସର୍ବଦା ଚର୍ଚ୍ଚାରେ ରହୁଥିବା ବେଳେ ଅନେକ ବଦନାମ୍ ମଧ୍ୟ ମୁଣ୍ଡାଇଛି। ବିଶେଷ କରି ସର୍ଜରୀ ବିଭାଗରେ ବିନା ଲାଞ୍ଚରେ କୌଣସି ଅସ୍ତ୍ରୋପଚାର ହେଉ ନଥିବା ରୋଗୀ ମାନେ ଅଭିଯୋଗ କରିଛନ୍ତି।

ଆଜି ଏଭଳି ଏକ ଲାଞ୍ଚ ମାମଲାର ପର୍ଦ୍ଦାଫାଶ କରିଛନ୍ତି ସ୍ବେଛାସେବୀ ଚିନ୍ମୟୀ ଦାସ।ଅଭିଯୋଗକାରୀ ରୋଗୀ ହେଲେ ବିକ୍ରମପୁର ଥାନା ଭରତପୁର ଅଞ୍ଚଳର ନିରଞ୍ଜନ ମୁଣ୍ଡା।ନିରଞ୍ଜନଙ୍କ ଅଭିଯୋଗ ଅନୁସାରେ ସେ ଦୀର୍ଘ ଦିନ ଧରି ମଳକଣ୍ଟକ ରୋଗରେ ପଡ଼ି ଅପରେସନ ପାଇଁ ଅନୁଗୁଳ ଡାକ୍ତରଖାନାରେ ପହଞ୍ଚି ଥିଲେ। ସେଠାରେ ସଂପୃକ୍ତ ସର୍ଜରୀ ଡାକ୍ତର ତାଙ୍କୁ କିଛି ଦିନ ଦୌଡ଼ାଇବା ପରେ ଏଠାରେ ଅପରେସନ କରାଇଲେ ୮ ହଜାର ଟଙ୍କା ଦେବାକୁ ପଡ଼ିବ ବୋଲି କହିଥିଲେ। କିନ୍ତୁ ଗରିବ ନିରଞ୍ଜନ ବହୁ ନେହୁରା ହେବା ପରେ ୬ ହଜାର ଟଙ୍କାରେ କଥା ଛିଡ଼ିଥିଲା ଏବଂ ନିରଞ୍ଜନ ଫୋନ୍ ପେ’ ମାଧ୍ୟମରେ ଟଙ୍କା ପଠାଇଥିଲେ ବୋଲି ଅଭିଯୋଗ କରିଛନ୍ତି।

ନିରଞ୍ଜନ ଗତମାସ ୩୧ ତାରିଖରେ ଆଡ଼ମିଶନ ହୋଇଥିବା ବେଳେ ନଭେମ୍ବର ୫ ତାରିଖରେ ଡିସ ଚାର୍ଜ ହୋଇଛନ୍ତି। ଲାଞ୍ଚ କାରବାର ନେଇ ଅଭିଯୋଗ ହେବାପରେ ନିରଞ୍ଜନ ସ୍ଵେଚ୍ଛାସେବୀ ଚିନ୍ମୟୀ ଦାସଙ୍କ ସହାୟତାରେ ସାମ୍ବାଦିକ ମାନଙ୍କୁ ଭେଟି ନିଜ ଦୁର୍ଦ୍ଦଶା କହିବା ସହ ଖୁବ୍ ଶୀଘ୍ର ସ୍ବାସ୍ଥ୍ୟ ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଏଥିନେଇ ଅବଗତ କରିବେ ବୋଲି ଜଣାଇଛନ୍ତି।

ସର୍ଜରୀ ବିଭାଗରେ ଲାଞ୍ଚ ନଦେଲେ ଅସ୍ତ୍ରୋପଚାର ହେଉ ନାହିଁ ଏପରିକି ଓଟିରୁ ରୋଗୀଙ୍କୁ ଫେରାଇ ଦିଆ ଯାଉଛି ବୋଲି ଅଭିଯୋଗ କରିଛନ୍ତି ଚିନ୍ମୟୀ। ଘଟଣା ସମ୍ପର୍କରେ ସିଡିଏମଓଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ। ଜିଲ୍ଲାପାଳ ଏଥି ପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।