ମୁଖ୍ୟ ଖବର

ଶିକ୍ଷକ ନାହାନ୍ତି, ହୋଇପାରୁନି ପାଠପଢ଼ା; ମୁଖ୍ୟ ଫାଟକରେ ତାଲା ପକାଇଲେ ଛାତ୍ରଛାତ୍ରୀ ଓ ଅଭିଭାବକ

By Angul TV Bureau

August 05, 2025

ଅନୁଗୁଳ: ଶିକ୍ଷକ ନାହାନ୍ତି, ହୋଇପାରୁନି ପାଠପଢ଼ା। ଅଭିଯୋଗ କଲେ ଶୁଣୁ ନାହାନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ। ଏଭଳି ଅଭିଯୋଗ ନେଇ ମଙ୍ଗଳବାର ଅନୁଗୁଳ ବ୍ଲକ ପୋକତୁଙ୍ଗା ପଞ୍ଚାୟତ ପୋକତୁଙ୍ଗା ନୋଡ଼ାଲ ଉଚ୍ଚବିଦ୍ୟାଳୟ ଛାତ୍ରଛାତ୍ରୀ ଓ ଅଭିଭାବକ ସ୍କୁଲ ମୁଖ୍ୟ ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି।

ଅଭିଯୋଗ ମୁତାବକ, ବିଦ୍ୟାଳୟରେ ଷଷ୍ଠରୁ ଅଷ୍ଟମ ପର୍ଯ୍ୟନ୍ତ ୨୧୭ ଜଣ ପିଲା ପଢ଼ୁଛନ୍ତି। ନିୟମ ଅନୁଯାୟୀ ୫ଜଣ ଶିକ୍ଷକ ରହିବା କଥା। କିନ୍ତୁ ଅଛନ୍ତି ମାତ୍ର ୨ଜଣ। ବର୍ଷେ ହେଲାଣି ନାହାନ୍ତି ହିନ୍ଦୀ ଶିକ୍ଷକ। ଫଳରେ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀ ପାଇଁ ନିଯୁକ୍ତ ଶିକ୍ଷକ ମାନେ ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ପାଠ ପଢ଼ାଇ ଥାନ୍ତି।ପ୍ରାୟ ୨ଘଣ୍ଟା ଧାରଣାରେ ବସିବା ପରେ ଜିଲ୍ଲା ସହ ଶିକ୍ଷା ଅଧିକାରୀ ପ୍ରତିଭା ବାରିକ ଓ ବ୍ଲକ ଶିକ୍ଷା ଅଧିକାରୀ ଅଶୋକ କୁମାର ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କୁ ବୁଝାସୁଝା କରିଥିଲେ। ଆଗାମୀ ୩ ଦିନ ଭିତରେ ସ୍ଥାୟୀ ହିନ୍ଦୀ ଶିକ୍ଷକ ଓ ୭ଦିନ ମଧ୍ୟରେ ଅନ୍ୟ ୨ଜଣ ଏଲିମେଣ୍ଟାରି ଶିକ୍ଷକ ପଦବି ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ପରେ ଧାରଣାରୁ ଉଠି ପିଲାମାନେ ଫାଟକ ଖୋଲି ବିଦ୍ୟାଳୟ ଭିତରକୁ ଯାଇଥିଲେ।

ଅନ୍ୟପଟେ ଦାବିପୂରଣ ନହେଲେ ଆମେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ବାଧ୍ୟହେବୁ ବୋଲି ଅଭିଭାବକ କହିଥିଲେ।