ମୁଖ୍ୟ ଖବର

ତମାଖୁ ସେବନ ନିଷେଧ ଦିବସ: ସଚେତନତା ଆଜି ବି ଅଭାବ, ଜିଲ୍ଲାରେ ମାସକୁ ୨ କୋଟିର ପାନମସଲା ବିକ୍ରି

By Biswaranjan Pattnaik

May 31, 2024

ଅନୁଗୁଳ: ବିଶ୍ଵ ତମାଖୁ ସେବନ ନିଷେଧ ଦିବସ ଆଜି ଚାରିଆଡ଼େ ପାଳନ ହେଉଛି କିନ୍ତୁ ଏହାର ଅସଲ ଉଦ୍ଦେଶ୍ୟ ଆଜି ବି ସମାଜର ଅନେକଙ୍କୁ ପ୍ରଭାବିତ କରି ପାରି ନାହିଁ। କ୍ୟାନ୍ସର ଏକ ଭୟଙ୍କର ରୋଗ। ସିଗାରେଟ ଟାଣିବା ଏବଂ ଗୁଟଖା ବା ପାନ ମସଲା ଚୋବାଇବା ଦ୍ଵାରା ମଣିଷକୁ ଫୁସଫୁସ କ୍ୟାନ୍ସର ଓ ପାଟି କ୍ୟାନ୍ସର ହୋଇଥାଏ। ଗୁଟଖାରେ ଥିବା ମସଲାରେ ନିକୋଟିନ ଓ ଅନେକ ବିଷାକ୍ତ ପଦାର୍ଥ ଥାଏ ଯାହା କି କ୍ୟାନ୍ସର ଭଳି ଦୁଃସାଧ୍ୟ ରୋଗ ସୃଷ୍ଟି କରାଇଥାଏ। ଏନସିଡିଆଇଆର୍ ରିପୋର୍ଟ ଅନୁସାରେ ଓଡ଼ିଶାରେ ୨୦୧୬ରେ ୪୯,୬୭୪ ଜଣ କ୍ୟାନ୍ସର ରୋଗୀ ଚିହ୍ନଟ ହୋଇଥିଲେ ସେମାନଙ୍କ ମଧ୍ୟରୁ ୨୫,୯୩୫ ଜଣଙ୍କର ମୃତ୍ୟୁ ଘଟିଥିଲା । ଏବେ ଓଡ଼ିଶାରେ ଦିନକୁ ୬୯ ଜଣ ରୋଗୀ କ୍ୟାନ୍ସରରେ ମରୁଛନ୍ତି। ଦେଶରେ ପ୍ରତି ଘଣ୍ଟାରେ ୮୪ ଜଣ ରୋଗୀ କ୍ୟାନସରରେ ମରୁଛନ୍ତି। ଏଥିରୁ ଏ ରୋଗର ଭୟାବହତା ପ୍ରମାଣିତ ହେଉଛି।

ଏକ ରିପୋର୍ଟ ଅନୁସାରେ ଅନୁଗୁଳ ଜିଲ୍ଲାରେ ମାସକୁ ଦୁଇ କୋଟି ଟଙ୍କାର କେବଳ ପାନ ମସଲା ଓ ଗୁଟଖା ବିକ୍ରି ହେଉଛି। କଲେଜ ପରିସରରେ ସିଗାରେଟ ଓ ସ୍କୁଲ ପରିସରରେ ପାନ ମସଲା ପିଲାଏ ଖାଉଛନ୍ତି। ବଡ଼ ହେଲାପରେ ଏହା ଅଭ୍ୟାସରେ ପଡ଼ି ଯାଉଛି ଏବଂ ଏହାର ପରିଣାମ ୪୦ ବର୍ଷ ବୟସ ପରେ ଭୋଗୀବାକୁ ପଡ଼ୁଛି। ବର୍ଷ କେ ଦୁଇ ଚାରି ଦିନ ମେଡ଼ିକାଲ କର୍ତୃପକ୍ଷ ଚଢ଼ାଉ କରି ଚୁପ୍ ହୋଇ ବସି ଯାଉଛନ୍ତି । ଫଳରେ ଦୋକାନୀ ମାନେ ବିନା ଦ୍ବିଧାରେ ସିଗାରେଟ ଓ ଗୁଟଖା ବିକୁଛନ୍ତି।ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।