ମୁଖ୍ୟ ଖବର

୩ଦଫା ଦାବି ନେଇ ଅଣ ଗେଜେଟେଡ ବନସେବା ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

By Angul TV Bureau

June 09, 2025

ଅନୁଗୁଳ: ଢେଙ୍କାନାଳ ବନଖଣ୍ଡ ହିନ୍ଦୋଳ ରେଞ୍ଜରେ ପାଟ୍ରୋଲିଂ ସମୟରେ ଶିକାରୀ ଗୁଳିରେ ଫରେଷ୍ଟ ଗାର୍ଡ ପ୍ରହ୍ଲାଦ ପ୍ରଧାନଙ୍କ ମୃତ୍ୟୁକୁ ନିନ୍ଦା କରିବା ସହ ଅନୁଗୁଳ ସର୍କଲର ଓଡ଼ିଶା ଅଣ-ଗେଜେଟେଡ୍ ବନସେବା ସଂଘ ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୩ଦଫା ସମ୍ମଳିତ ଦାବିପତ୍ର ପ୍ରଦାନ କରାଯାଇଛି। ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ, ମୃତକଙ୍କ ପରିବାରକୁ ଏକ କୋଟି ଟଙ୍କାର ଅନୁକମ୍ପା ରାଶି ପ୍ରଦାନ, ସମସ୍ତ ବନକ୍ଷେତ୍ର ଅଧିକାରୀଙ୍କୁ ଜାତୀୟ ବ୍ୟାଙ୍କ ଜରିଆରେ ପୁଲିସ୍ ଭଳି “ସଲାରି ପ୍ୟାକେଜ ଇନସ୍ୟୁରାନ୍ସ” ପ୍ରଦାନ କରାଯିବା ଆଦି ଦାବି ନେଇ ଜିଲ୍ଲା ପ୍ରଶାସନ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ତିନିଦଫା ଦାବି ପୂରଣ ନ ହେଲେ ଜୁନ ୧୫ ରୁ ଜୁନ ୨୧ ତାରିଖ ପର୍ଯ୍ୟନ୍ତ ପ୍ରତୀକ ଅନଶନ ସ୍ଵରୂପ ସମସ୍ତ ସଭ୍ୟ/ ସଭ୍ୟା କଳାବ୍ୟାଚ୍ ପିନ୍ଧି ପ୍ରଦର୍ଶନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏହି ସମୟରେ ପାଟ୍ରୋଲିଂ ନ କରିବା ପାଇଁ ସଂଘ ତରଫରୁ ନିଷ୍ପତ୍ତି ନିଆଯାଇଛି। ପରେ ଜୁନ ୨୨ ତାରିଖରୁ ଦାବି ପୂରଣ ହେବା ପର୍ଯ୍ୟନ୍ତ ସଭ୍ୟ/ସଭ୍ୟାମାନେ ସାମୂହିକ ଛୁଟିରେ ରହି ସର୍କଲ ଅଫିସ ସାମ୍ନାରେ ୟୁନିଫର୍ମ ପିନ୍ଧି ଧାରଣା ପ୍ରଦର୍ଶନ କରିବେ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି।