ମୁଖ୍ୟ ଖବର

ଏଣିକି ସହଜରେ କିଣି ପାରିବେ ଆପାର୍ଟମେଣ୍ଟ, ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଅଧିନିୟମ-୨୦୨୩କୁ ମିଳିଲା କ୍ୟାବିନେଟ୍ ମଞ୍ଜୁରୀ

By Angul TV Bureau

March 11, 2023

ଭୁବନେଶ୍ୱର: ଏଣିକି ସହଜରେ କିଣି ପାରିବେ ଆପାର୍ଟମେଣ୍ଟ। ଆଉ ରହିବନି ଆପାର୍ଟମେଣ୍ଟ କିଣିବା ବେଳେ ସମସ୍ୟା। ସମସ୍ୟାର ସମାଧାନ କରିବାକୁ ରାଜ୍ୟ ସରକାର ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଅଧିନିୟମ-୨୦୨୩କୁ କ୍ୟାବିନେଟ୍ ମଞ୍ଜୁର କରିଛନ୍ତି। ଏହି ବିଲ୍ ବିଧାନସଭାରେ ଆଗତ ହୋଇ ପାରିତ ହେବା ପରେ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ଯିବ। ତା’ ପରେ ଆଇନରେ ପରିଣତ ହେବ ।

ଚଳିତ ବଜେଟ ଅଧିବେଶନରେ ଏହି ବିଲ୍ ଆଗତ ହେବାର ଅଧିକ ସମ୍ଭାବନା ରହିଛି। ଚଳିତ ଅଧିବେଶନରେ ରେରା-କମ୍ପ୍ଲିଆଂଟ ଆପାର୍ଟମେଣ୍ଟ ବିଲ୍ ଆଣିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ କହିଛନ୍ତି। ତେବେ ନୂଆ ନିୟମ ଆସିବା ପୂର୍ବରୁ ସ୍ପଷ୍ଟ ହୋଇଛି ଯେ ବହୁ ଦିନ ଧରି ପଡ଼ି ରହିଥିବା ଆପାର୍ଟମେଣ୍ଟର ରେଜିଷ୍ଟ୍ରେସନ ପାଇଁ ବାଟ ଫିଟିବାକୁ ଯାଉଛି।

ସୂଚନାଯୋଗ୍ୟ ଯେ ଲୋକେ ଆପାର୍ଟମେଣ୍ଟରେ ଶହ ଶହ ଘର କିଣିଥାନ୍ତି। କିନ୍ତୁ ଆପାର୍ଟମେଣ୍ଟ ଭିତରେ ଥିବା କମନ୍ ଏରିଆ ଯଥା: ସୁଇମିଂ ପୁଲ୍‌, ସଭା ଗୃହ, ଖେଳ ପଡିଆ ଆଦିକୁ ନେଇ ବିବାଦ ଦେଖାଦେଉଥିଲା। କାରଣ ଏହାର ନିୟନ୍ତ୍ରଣ ବିଲଡର ମାଲିକାନାରେ ରହୁଥିଲା। ଏବେ କିନ୍ତୁ ଏହି ସବୁ କମନ ଏରିଆ ଘର କିଣିଥିବା ବ୍ୟକ୍ତିଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ସଂଘ ନାଁରେ ରହିବ, ଫଳରେ ବିବାଦର ସମାଧାନ କରିପାରିବ ବୋଲି ସରକାର ଆଶା କରୁଛନ୍ତି।