ମୁଖ୍ୟ ଖବର

ତାଳଚେର ଥର୍ମାଲରେ ଏନ.ଟି.ପି.ସିର ୫୦ ତମ ପ୍ରତିଷ୍ଠା ଦିବସ ପାଳିତ, ୫୦ ଟି ଗଛ ଲଗାଇଲେ କମ୍ପାନୀ କର୍ତ୍ତୃପକ୍ଷ

By Angul TV Bureau

November 09, 2024

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଥର୍ମାଲରେ ଏନଟିପିସିର ୫୦ ତମ ପ୍ରତିଷ୍ଠା ଦିବସ ଖୁବ ଧୁମଧାମରେ ପାଳିତ ହୋଇଛି। ପ୍ରଥମେ ନୂତନ ଭାବେ ତିଆରି କରାଯାଇଥିବା ପ୍ରୋଜେକ୍ଟ ଅଫିସ ପ୍ରାଙ୍ଗଣରେ ଏନ.ଟି.ପି ସି. ପତାକା ଉତ୍ତୋଳନ କରାଯାଇଥିଲା। ପ୍ରକଳ୍ପ ମୁଖ୍ୟ ବିଜୟ ଚାନ୍ଦ ପତାକା ଉତ୍ତୋଳନ କରି ଏନ.ଟି.ପି.ସି.ର ଏହି ସୁଦୀର୍ଘ ଯାତ୍ରା ବିଷୟରେ ଏକ ସାରଗର୍ଭକ ବାର୍ତ୍ତା ଦେଇଥିଲେ। ଏନ. ଟି. ପି. ସି. ୧୯୭୫ ମସିହାରେ ଯାତ୍ରା ଆରମ୍ଭ କରି ଆଜି ଭାରତ ବର୍ଷର ଏକ ଅଗ୍ରଣୀ ଶକ୍ତି ଉତ୍ପାଦନ ସଂସ୍ଥା ରୂପେ ପରିଗଣିତ ହୋଇଛି। କେବଳ ତାପଜ ବିଦ୍ୟୁତ ନୁହେଁ, ବରଂ ଜଳ ଶକ୍ତି, ପବନ ଶକ୍ତି, ନିଉକ୍ଲିୟ ଶକ୍ତି ପରି ଅନ୍ୟ ଶକ୍ତି ଉତ୍ପାଦନରେ ପ୍ରବେଶ କରିଛି ବୋଲି ସେ କହିଥିଲେ।

ପରେ ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ୫୦ ଟି ବୃକ୍ଷ ରୋପଣ କରାଯାଇଥିଲା। ପ୍ରକାଶ ଯେ ପୂର୍ବ ସନ୍ଧ୍ୟାରେ ଏକ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମସ୍ତ କାର୍ଯ୍ୟକ୍ରମରେ ଜି.ଏମ୍ ଜେପି ରାୟ, ମୁଖ୍ୟ ଚିକିତ୍ସାଧିକାରୀ, ସି. ଆଇ.ଏସ.ଏଫ ଅଧିକାରୀ, ମହିଳା କ୍ଲବର ସଭାନେତ୍ରୀ ଓ ସଦସ୍ୟା, କର୍ମଚାରୀମାନେ ଯୋଗ ଦେଇଥିଲେ।