ମୁଖ୍ୟ ଖବର

ଧାର ଟଙ୍କା ଫେରାଇବା ବଦଳରେ ଲୁଟି ନେଲେ ଲକ୍ଷାଧିକ ଟଙ୍କା

By Angul TV Bureau

January 07, 2026

କଣିହାଁ: ଅନୁଗୁଳ ଜିଲ୍ଲା ଏନଟିପିସି ଥାନା ଭୀମକାଣ୍ଡ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କଟକ ଜିଲ୍ଲା ନୂଆ ପାଟଣା ଗ୍ରାମର ପ୍ରଭାତ ଦାସଙ୍କୁ ବିଶ୍ୱାସରେ ବିଷ ଦେଇ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ରଞ୍ଜିତ ପ୍ରଧାନ ଏବଂ ତାଙ୍କ ସାଙ୍ଗ।

ସୂଚନା ଅନୁଯାୟୀ, ପ୍ରଭାତ ଦାସ କିଛି ଦିନ ତଳେ ରଞ୍ଜିତ ପ୍ରଧାନଙ୍କୁ କିଛି ଟଙ୍କା ଧାର ସୂତ୍ରରେ ଦେଇଥିଲେ। ପ୍ରଭାତଙ୍କ ପୁଅ ଅସୁସ୍ଥ ଥିବାରୁ ତାଙ୍କ ପୁଅକୁ ସେ ଅନୁଗୁଳ ଚିକିତ୍ସା ପାଇଁ ନେଇଥିଲେ। ବଜାରରେ ବୁଲିବା ସମୟରେ ସେ ରଞ୍ଜିତଙ୍କୁ ତାଙ୍କର ଜଣେ ସାଙ୍ଗ ସହିତ ବୁଲୁଥିବାର ଦେଖି ତାଙ୍କୁ ନେଇଥିବା ଟଙ୍କା ମାଗିଥିଲେ। ରଞ୍ଜିତ ପ୍ରଭାତଙ୍କୁ ତାଙ୍କ ଭୀମକାଣ୍ଡ ସ୍ଥିତ ଘରକୁ ଯିବାପାଇଁ କହିଥିଲେ ଏବଂ ସେଠାରେ ଧାର ନେଇଥିବା ଟଙ୍କା ଫେରାଇବାକୁ କହିଥିଲେ। ବିଶ୍ୱାସ କରି ପ୍ରଭାତ ରଞ୍ଜିତ ଏବଂ ତାଙ୍କ ସହ ଥିବା ରଞ୍ଜିତଙ୍କ ସାଙ୍ଗକୁ ଭୀମକାଣ୍ଡ ସ୍ଥିତ ଘରକୁ ନେଇଥିଲେ। କ୍ଳାନ୍ତ ହୋଇଯାଇଥିବା କାରଣରୁ ପ୍ରଭାତ ଶୋଇପଡ଼ିଥିଲେ।

ଏହାର ସୁଯୋଗ ନେଇ ରଞ୍ଜିତ ପ୍ରଭାତଙ୍କ ପକେଟରେ ଥିବା ୧ ଲକ୍ଷ ୩୦ ହଜାର ଟଙ୍କା, ସୁନା ରୂପା ଗହଣା ଏବଂ ପ୍ରଭାତଙ୍କ ମୋବାଇଲ ନେଇ ଚମ୍ପଟ୍ ମାରିଥିଲେ। ପରେ ପ୍ରଭାତ ଏ ବିଷୟରେ ଏନଟିପିସି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେବେ ସୋମବାର ଦିନ ପ୍ରଭାତ ଥାନାରେ ଅଭିଯୋଗ କରିଥିବା ସତ୍ତ୍ୱେ ଏନଟିପିସି ପୋଲିସ ରଞ୍ଜିତ ଏବଂ ତାଙ୍କ ସାଙ୍ଗର ଏପର୍ଯ୍ୟନ୍ତ ଟେର ପାଇପାରିନାହିଁ।