ମୁଖ୍ୟ ଖବର

ଧାରଣାରତ ଏନଟିପିସି କ୍ଷତିଗ୍ରସ୍ତ ମସୁଣିହତା ପ୍ରଜାଙ୍କ ଉପରେ ପ୍ରଶାସନର ଜୁଲମ, ୫ ପ୍ଲାଟୁନ ଫୋର୍ସ ଲଗାଇ ଉଠାଇ ନେଲା ପୁଲିସ

By Angul TV Bureau

May 25, 2025

ଅନୁଗୁଳ: ଆନ୍ଦୋଳନକାରୀଙ୍କ ଉପରେ ପୁଲିସର ଜୁଲମ। ଏନ୍‌ଟିପିସି କ୍ଷତିଗ୍ରସ୍ତ କଣିହାଁ ଥାନା ଇଲାକା ମସୁଣିହତା ଆନ୍ଦୋଳନକାରୀ ପ୍ରଜାଙ୍କୁ ପୁଲିସ ବଳପୂର୍ବକ ଉଠାଇନେଇଛି। ୩ ଦିନ ହେଲା ଏହି ଆନ୍ଦୋଳନ ଚାଲିଥିଲା। କିନ୍ତୁ ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ପୁଲିସ ଓଲଟା ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଛି।

ଶନିବାର ଅପରାହ୍ନରେ ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା କଣିହାଁ ତହସିଲଦାର ଚିନ୍ମୟ ଦାସ ଆନ୍ଦୋଳନସ୍ଥଳରେ ପହଞ୍ଚି ଥିଲେ। ତାଙ୍କ ସହ ପାଳଲହଡ଼ା ଉପଖଣ୍ଡ ପୁଲିସ ଅଧିକାରୀ କୈଳାସ ସେଠୀ, କଣିହାଁ ଆଇଆଇସି ରମଣୀ ରଞ୍ଜନ ଦଳେଇ, ଦୁଇଜଣ ଅତିରିକ୍ତ ଏସ୍.ପି. ସମେତ ପାଞ୍ଚ ପ୍ଲାଟୁନ ପୁଲିସ ମଧ୍ୟ ଧାରଣାସ୍ଥଳରେ ପହଞ୍ଚି ଥିଲେ।ପୁଲିସ ଶତାଧିକ ଆନ୍ଦୋଳନକାରୀଙ୍କୁ ଗିରଫ କରି ଏନଟିପିସି ଦୈନିକ ପନିପରିବା ମାର୍କେଟ ପାଖ ଏନଟିପିସି ଆରଆଣ୍ଡଆର କାର୍ଯ୍ୟାଳୟରେ ଅଟକ ରଖିଛି। ଅଟକଙ୍କ ମଧ୍ୟରେ ପୁରୁଷ, ମହିଳା ଓ ଶିଶୁ ଥିବା ଜଣାପଡ଼ିଛି। ପ୍ରକାଶ ଯେ ଶୁକ୍ରବାର ସଂଧ୍ୟାରେ କଣିହାଁ ତହସିଲ କାର୍ଯ୍ୟାଳୟରେ ତାଳଚେର ଉପଜିଲ୍ଲାପାଳ ସମୀର କୁମାର ଜେନାଙ୍କ ଅଧ୍ୟକ୍ଷତାରେ ସମାଧାନ ପାଇଁ ବସିଥିବା ବୈଠକ ବିଫଳ ହୋଇଥିଲା। ଫଳରେ ଆନ୍ଦୋଳନ ଜାରି ରହିଥିଲା।