ଅନୁଗୁଳ: ଆଜି ନୂଆ ‘ଓ’ ଜିଲ୍ଲା ଉତ୍ସବ ଅନୁଗୁଳ ବିଜୁ ମଇଦାନରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ, ମୁଖ୍ୟମନ୍ତ୍ରୀ ଓଡିଶାର ଉନ୍ନତି ପାଇଁ ବିଭିନ୍ନ ଜନ କଲ୍ୟାଣ ଯୋଜନାମାନ ପ୍ରଣୟନ କରିବା ସହ ଅନୁଗୁଳ ଜିଲ୍ଲାର ଯୁବକ ଯୁବତୀମାନଙ୍କ ଶିକ୍ଷା ସମେତ କ୍ରୀଡ଼ା ଓ ସାଂସ୍କୃତିକ ବିକାଶ ନିମନ୍ତେ ନୂଆ ଓ କାର୍ଯ୍ୟକ୍ରମ ମାଧ୍ୟମରେ ଆଜିର ଉତ୍ସବ ପାଳନ କରାଯାଇଛି।
ଉତ୍ସବରେ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା,ପାଳଲହଡା ବିଧାୟକ ମୁକେଶ କୁମାର ପାଳ, ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏବଂ ଫାଇଭ ଟି ଓ ନବୀନ ଓଡିଶାର ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଅନୁଗୁଳ ଜିଲ୍ଲାର ବିକାଶ ଓ ଯୁବ ବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରୁଛନ୍ତି ବୋଲି କହିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଯୁବ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ କୁନ ବିହାରୀ ଦାସ, କ୍ରୀଡା ଓ ଯୁବ ସେବା ବିଭାଗର ସ୍ବତନ୍ତ୍ର ସଚିବ ଅରବିନ୍ଦ ଅଗ୍ରୱାଲ ପ୍ରମୁଖ ଯୋଗ ଦେଇଥିଲେ।
ଏହି ଉପଲକ୍ଷେ ଆୟୋଜିତ ହୋଇଥିବା ଜିଲ୍ଲାର ପ୍ରତ୍ୟେକ ମହାବିଦ୍ୟାଳୟ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଧ୍ୟକ୍ଷା, ଶିକ୍ଷକ ଶିକ୍ଷୟିତ୍ରୀ, ଏନ୍ ସି ସି ଓ ପିଇଟି ମାନେ ସହଯୋଗ କରିଥିଲେ।